ନ୍ୟୁଜ୍ରାଜ୍ୟ

ଶାରଦୀୟ ପୂଜା:ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ୟ୍ୟକ୍ରମ

ସତ୍ୟଶିଖା( ଭୁବନେଶ୍ୱର )୦୨.୦୯ . ୨୦୨୨:  କରୋନା କାଳରେ ପାର୍ବଣ ଋତୁରେ ଗ୍ରହଣ ଲାଗିଥିଲା । ଦୁଇ ବର୍ଷ କଟକଣାରେ ଚାଲିଗଲା । ଏଥର ଶାରଦୀୟ ପୂଜା ବେଳକୁ ସହର ଉଠିବ ପଡି଼ବ । ଗହଳି ବହୁତ ବଢ଼ିବ । ଏନେଇ କମିଶନରେଟ୍‌ ପୁଲିସ ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷ୍ପତ୍ତି ନିଆଯାଇଛି, ମେଲୋଡି, ଭଜନ ଆଦି ସାଂସ୍କୃତିକ କାର୍ୟ୍ୟକ୍ରମ ରାତି ୧୨ଟା ଯାଏଁ ଚାଲିବ । ଏସବୁ ସାଂସ୍କୃତିକ କାର୍ୟ୍ୟକ୍ରମର ଲାଇଟ୍‌ ଓ ସାଉଣ୍ଡ୍‌ ପାଇଁ ପୁଲିସ ଗ୍ରୀନ୍‌ ସିଗନାଲ ଦେଇଛି ।

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ୧୭୮ଟି ପୂଜା କମିଟିର କର୍ମକର୍ତ୍ତା ବିଭିନ୍ନ ସମସ୍ୟା ବଖାଣିଥିଲେ । ବିଭିନ୍ନ ପୂଜା କମିଟି ନିବେଦନ କରିଥିଲେ ଯେ, ପୂଜା ମାହୋଲରେ ବ୍ୟାପକ ପୁଲିସ ଫୋର୍ସ ସହ ଅଷ୍ଟମୀ ଦିନ ମହିଳା ପୁଲିସ ଫୋର୍ସ ମୁତୟନ କରାଯାଉ । ପୂଜା ପୂର୍ବରୁ ସ୍ୱରେଜ, ଡ୍ରେନେଜ୍‌ ସମସ୍ୟାର ସମାଧାନ ହେଉ । ଠିକଣା ଢଙ୍ଗରେ ଟ୍ରାଫିକ ପରିଚାଳନା କରାଯାଉ । ବିଦ୍ୟୁତ ପାଇଁ ସିଙ୍ଗିଲ୍‌ ମିଟର ବ୍ୟବସ୍ଥା ହେଉ । ଅଗ୍ନିଶମ ବିଭାଗର ଅନୁମତିରେ ଅହେତୁକ ବିଳମ୍ବରେ ପୂର୍ଣ୍ଣଛେଦ ପଡୁ଼ । ପୁଲିସ, ବିଏମ୍‌ସି ଓ ଅନ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏସବୁ ଦିଗ ପ୍ରତି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଶାନ୍ତିଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ରାବଣ ପୋଡି଼ ଓ ଭସାଣି ଯାତ୍ରା ନେଇ ବୈଠକରେ ଆଲୋଚନା ହୋଇଥିଲା । ପୂଜା ପାଇଁ ସହରରେ ୩୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ । ଏହାବାଦ୍‌ ୨ କମ୍ପାନି ସିଆର୍‌ପିଏଫ୍‌, ଷ୍ଟ୍ରାଇକିଂ ଫୋର୍ସ, ଏନ୍‌ଡିଆର୍‌ଏଫ୍‌, କୁଇକ୍‌ ଆକ୍ସନ ଟିମ୍‌ ମଧ୍ୟ ଜଗିବେ । କିଛି ଅସ୍ଥାୟୀ ପୁଲିସ କ୍ୟାମ୍ପ କରାଯିବ । ଟ୍ରାଫିକ୍‌ ପରିଚାଳନା ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରାଯିବ ବୋଲି ପୁଲିସ ନିଷ୍ପତ୍ତି ନେଇଛି।

Show More
Back to top button