ନ୍ୟୁଜ୍ରାଜନୀତିରାଜ୍ୟ

ପଞ୍ଚାୟତ ନିର୍ବାଚନ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ

ସତ୍ୟଶିଖା(ଭୁବନେଶ୍ୱର ) ୧୫ .୦୧.୨୦୨୨ : ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ । ସବୁ ଜିଲ୍ଲାପଳ ଓ ଏସପିଙ୍କ ସହ ଭର୍ଚୁଆଲରେ ବୈଠକ କରିବେ ନିର୍ବାଚନ କମିଶନର । ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାରେ କିପରି ନିର୍ବାଚନ କରାଯିବ ସେନେଇ ମଧ୍ୟ ଆଲୋଚନା କରାଯିବ । ଏହା ସହ କୋଭିଡ୍ ସ୍ଥିତରେ ନିର୍ବାଚନ ପରିଚାଳନା ନେଇ ବିସ୍ତୃତ ଆଲୋଚନା କରାଯିବ । ସେପଟେ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରବାସୀଙ୍କୁ ଡାକରା ହୋଇଛି । ବ୍ରହ୍ମପୁର ରେଳଷ୍ଟେସନ୍‌ରେ ଶହଶହ ପ୍ରବାସୀ ଓହ୍ଲାଇଛନ୍ତି । ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଲୋକ ବିଭିନ୍ନ ରାଜ୍ୟରେ କାମ କରୁଛନ୍ତି। ପ୍ରାୟ ୮୦ରୁ ୮୫ ପ୍ରତିଶତ ଲୋକ ସୁରତର ବିଭିନ୍ନ ଫ୍ୟାକ୍ଟ୍ରି‌ରେ କାମ କରିଥାନ୍ତି । ପ୍ରତିବର୍ଷ ବିଭିନ୍ନ ସମୟରେ ଗଞ୍ଜାମ ଜିଲ୍ଲାରୁ ଶ୍ରମିକଙ୍କ ଯିବା ଆସିବା ରହିଥାଏ। ଗତଦୁଇ ବର୍ଷ ହେଲା କରୋନା ଯୋଗୁଁ ଲକ୍ଷାଧିକ ପ୍ରବାସୀ ଗଞ୍ଜାମ ଫେରିଥିଲେ। ସ୍ଥିତି ସ୍ବାଭାବିକ ହେବାପରେ ପୁଣିଥରେ ଶ୍ରମିକମାନେ ସୁରତ ମୁହାଁ ହୋଇଥିଲେ। ଏବେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଏହାର ବହୁପୂର୍ବରୁ ବିଭିନ୍ନ ଗ୍ରାମାଞ୍ଚଳର ନେତାମାନେ ସୁରତରେ ରହୁଥିବା ସମ୍ପର୍କୀୟ ଓ ବନ୍ଧୁଙ୍କ ସହ ଯୋଗାଯୋଗ କରି ଘରକୁ ଫେରିବାକୁ ନିମନ୍ତ୍ରଣ କରି ସାରିଥିଲେ। ଏଥିପାଇଁ ସୁରତରୁ ପ୍ରବାସୀଙ୍କ ‌ଘର ଲେଉଟାଣି ଆରମ୍ଭ ହୋଇଛି । ଆଜି ଅପରାହ୍ନରେ ଓଖା-ପୁରୀ ଟ୍ରେନ୍‌ରୁ ପ୍ରାୟ ୭ଶହ ଲୋକ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଓହ୍ଲାଇଛନ୍ତି । ତନ୍ମଧ୍ୟରୁ ଅଧିକାଂଶ ଲୋକ ନିଜର ପରିବାର ସହ ସୁରତରୁ ଫେରିଥିବା ଜଣାପଡ଼ିଛି । ଆସିକା, ଖଲ୍ଲିକୋଟ, ପୁରୁଷୋତ୍ତମପୁର, କୋଦଳା, ପାତ୍ରପୁର ଭଳି ଅଞ୍ଚଳକୁ ସେମାନେ ଯାଇଛନ୍ତି । ନିର୍ବାଚନ ପାଇଁ ଏବେ ଲେଉଟାଣି ପର୍ବ ଆରମ୍ଭ ହୋଇଛି । ଆସନ୍ତ ୭ଦିନ ପରେ ସୁରତରୁ ଫେରୁଥିବା ଟ୍ରେନ୍‌ଗୁଡ଼ିକ ଆହୁରି ଭିଡ଼ ହେବ। ଦୈନିକ ହଜାର ହଜାର ସଂଖ୍ୟାରେ ଯାତ୍ରୀ ସୁରତରୁ ବ୍ରହ୍ମପୁର ଆସିବେ ବୋଲି ଅନୁମାନ କରାଯାଉଛି । 

Show More
Back to top button