କେମିତି ଡ୍ରେନରେ ଭାସିଗଲେ ଜ୍ୟୋତି?


ସତ୍ୟଶିଖା(ଭୁବନେଶ୍ୱର )୨୦.୦୯ .୨୦୨୧: ରବିବାର ଅପରାହ୍ନ ୨ଟାରୁ ୩ଟା ସମୟ । ବାହାରେ ପ୍ରବଳ ବର୍ଷା ହେଉଥିଲା, ଭୁବନେଶ୍ୱର ରାଜରାସ୍ତାରେ ପାଣି ଲହଡି ଭାଙ୍ଗୁଥିଲା । ଏଭଳି ସମୟରେ ହଠାତ୍ ଖବର ଆସିଲା ଭୁବନେଶ୍ୱରର ସୌଭାଗ୍ୟନଗର ଡ୍ରେନରେ କେହି ଜଣେ ଭାସିଗଲେ । ଶହ ଶହ ଲୋକ ଏକାଠି ହେଲେ ସୌଭାଗ୍ୟନଗର ଅଞ୍ଚଳରେ । କିଏ ଭାସିଛି, କେମିତି ଭାସିଛି, କେଉଁଠି ଅଛି, କୁଆଡେ ଗଲା ଏମିତି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିଲା । କିନ୍ତୁ ଏହାର ଉତ୍ତର କାହା ପାଖରେ ନଥିଲା । ତେବେ ସମୟ ବିତିବା ସହ ପୂରା ଘଟଣା ଉପରୁ ପରଦା ହଟିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସାଇକେଲରେ ଆସୁଥିବା ଜଣେ ୧୫ ବର୍ଷର ଛାତ୍ର ସୌଭାଗ୍ୟନଗରରେ ଥିବା ମୁକୁଳା ଡ୍ରେନରେ ଭାସିଗଲେ । ଅନେକ ଚେଷ୍ଟା କରିବା ପରେ ମଧ୍ୟ ଛାତ୍ରଙ୍କୁ ଡ୍ରେନରୁ ଉଦ୍ଧାର କରିପାରିନଥିଲେ ଲୋକେ, ଯେହେତୁ ପାଣିର ସ୍ରୋତ ବହୁତ ଅଧିକ ରହିଥିଲା ।
ଏହି ଖବର ଗଣମାଧ୍ୟମରେ ଆସିବା ପରେ ଉକ୍ତ ଛାତ୍ରଙ୍କ ପରିଚୟ ମିଳିଥିଲା । ୧୫ ବର୍ଷୀୟ ଛାତ୍ରଜଣକ ଥିଲେ ଭୁବନେଶ୍ୱରର ଜ୍ୟୋତିପ୍ରକାଶ ବେହେରା(ରାଜା) । ରବିବାର ଯେତେବେଳେ ବର୍ଷା ଟିକିଏ ଛାଡିଥିଲା, ସେତେବେଳେ ବରମୁଣ୍ଡା ଢିପସାହିର ହୃଷୀକେଶ ବେହେରାଙ୍କ ପୁଅ ରାଜା ଟ୍ୟୁସନ୍ ଯିବା ପାଇଁ ସାଇକେଲ ଧରି ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲା । ମାତ୍ର କେଇ ମିନିଟ୍ ପୂର୍ବରୁ ବର୍ଷା ଛାଡ଼ିଥିବାରୁ ରାସ୍ତାଘାଟ ବୁଡ଼ି ରହିଥିଲା। ଡ୍ରେନ୍ ଓ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା । ଫଳରେ ରାଜା ବାଟ ଜାଣିନପାରି ଡ୍ରେନ୍ ଭିତରକୁ ପଶି ଯାଇଥିଲା ।ଆଉ ମୁକୁଳା ଡ୍ରେନରେ ମୃତ୍ୟୁ ଛକି ବସିଥିଲା । ପ୍ରଖର ସ୍ରୋତରେ ରାଜା ବୁଡ଼ି ଯାଇଥିଲା ଓ ଭାସି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପ୍ରାୟ ୧୦ କିମି ଦୈର୍ଘ୍ୟର ଡ୍ରେନ୍ରେ ପଶି ୮ଘଣ୍ଟା କାଳ ଖୋଜାଖୋଜି କରିଥିଲେ ବି ରାଜାର ପତ୍ତା ମିଳିନଥିଲା ।