ନ୍ୟୁଜ୍ରାଜ୍ୟ

ଧାମନଗରରେ ବନ୍ୟା ପରିସ୍ଥିତି ଗମ୍ଭୀର; ଲକ୍ଷାଧିକ ଲୋକ ପାଣି ଘେରରେ

ସତ୍ୟଶିଖା( ଭୁବନେଶ୍ୱର )୧୬.୦୮ . ୨୦୨୨: ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ଧାମନଗର ସୀମାନ୍ତ ଦେଇ ପ୍ରଭାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଫଳରେ ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ବାଟ ଦେଇ ଗେଙ୍ଗୁଟିରେ ପାଣି ପଶିବାରୁ ଦୋବଲ ଜୋନର କିଛି ଅଂଶ ଜଳମଗ୍ନ ହୋଇଛି। ରବିବାର ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁରଠାରେ ଥିବା ମଲ୍ଲିମାହାରା ଏସକେପରେ ପାଣି ପଶି ତଳ ଆନନ୍ଦପୁର, ନଡ଼ିଆବାଗ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ଗୌରାଙ୍ଗପୁର ଏସକେପ୍ ବାଟେ ବନ୍ୟା ଜଳ ପ୍ରବେଶ କରିବାରୁ ସୋହଡ଼ା, କରଦା ଓ ପଧାନି ପଞ୍ଚାୟତର କିଛି ଅଂଶ ଜଳମଗ୍ନ ହୋଇଛି। ବିଶେଷ କରି ଖଡ଼ିପଦାର କାଞ୍ଜିଆପାଳ, ବେଦପୁର, ସୋହଡ଼ାର ମିଶ୍ରପୁର, ପିତେଇପୁର, ବାଲିପଡ଼ା ଓ କରଦା ପଞ୍ଚାୟତର ସାପୁଆପାଟଣା ଭାର୍ଦା କଟକ ଅଞ୍ଚଳରେ ପାଣି ପଶିଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଧାମନଗର ଦେଇ ପ୍ରବାହିତ ରେବ, କପାଳୀ ନଦୀରେ ବନ୍ୟା ଆସିଛି। ଫଳରେ କାଶୀମପୁର, ଫତେପୁର ଓ ଅସୁରାଳି ଅଞ୍ଚଳର କିଛି ଗାଁରେ ପାଣି ମାଡ଼ି ଯାଇଛି।

ଆଜି ବୈତରଣୀ ନଦୀର ଉପର ମୁଣ୍ଡରେ ବନ୍ୟାଜଳ ହ୍ରାସ ପାଇଥିବା ବେଳେ ଧାମନଗର ଅଞ୍ଚଳରେ ବନ୍ୟାର ପ୍ରଭାବ ତିନି ଦିନ ପରେ ମଧ୍ୟ ସଙ୍ଗୀଳ ଅବସ୍ଥାରେ ଅଛି। ଧାମନଗର ବ୍ଳକର ୯୭ ରାଜସ୍ବ ଗ୍ରାମ ଏହି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ଶହେରୁ ଅଧିକ ଗ୍ରାମର ଲକ୍ଷାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବୈତରଣୀ ନଦୀର ବନ୍ୟାଜଳ ଉପର ମୁଣ୍ଡରେ କମୁଥିଲେବି ନଦୀର ତଳମୁଣ୍ଡ ଗାନ୍ଧୀଘାଟ ଠାରେ ବନ୍ୟାଜଳ ଏବେବି ବିପଦ ସଂକେତର ଉର୍ଦ୍ଧରେ ପ୍ରବାହିତ ହେଉଛି।

Show More
Back to top button