ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୧୧/୨୦୨୦ : ଭାରତୀୟ ଟିମର ମହାନ କ୍ରିକେଟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୨୦୧୪ ନଭେମ୍ବର ୧୩ରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହାସଲ କରିଥିଲେ । କୋଲକାତାର ଇଡେନ୍ ଗାର୍ଡେନରେ ଶ୍ରୀଳଙ୍କା ବିପକ୍ଷରେ ୨୬୪ ରନର ବିଶାଳ ଇନିଂସ ଖେଳିଥିଲେ ରୋହିତ ଶର୍ମା । ତେବେ କ୍ରିକେଟ ପ୍ରେମୀଙ୍କ ମନରେ ଏହି ସ୍ମୃତି ପୁଣି ଥରେ ତାଜା ହୋଇଛି । ବିସିସିଆଇ ମଧ୍ୟ ଏଥିରୁ ବାଦ ପଡିନାହିଁ । ଟ୍ବିଟ୍ କରି ଏହି ସ୍ମରଣୀୟ ମୂହୁର୍ତ୍ତକୁ ମନେ ପକାଇଛି ବିସିସିଆଇ ।
ରୋହିତଙ୍କ ଏହି ଐତିହାସିକ ବିସ୍ଫୋରକ ଇନିଂସର ଭିଡିଓ ସେୟାର କରିଛି ବିସିସିଆଇ ଲେଖିଛି ୨୦୧୪ ଆଜିର ଦିନରେ ରୋହିତ ଶର୍ମା ୨୬୪ ରନ କରି ଇତିହାସ ରଚିଥିଲେ । ଏହି ବିସ୍ଫୋରକ ଇନିଂସରେ ସେ ମୋଟ ୩୩ ଚୌକା ଏବଂ ୯ ଛକା ମାରିଥିଲେ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ମାତ୍ର ୧୭୩ ବଲ ଖେଳି ୨୬୪ ରନର ବିଶାଳ ଇନିଂସ ଖେଳିଥିଲେ ଯେଉଁଥିରେ ୩୩ଟି ଚୌକା ଏବଂ ୯ ଛକା ଅର୍ନ୍ତଭୁକ୍ତ ଥିଲା । ରୋହିତ ପ୍ରଥମ ୫୦ରନ ୭୨ ବଲରେ ହାସଲ କରିଥିଲେ । ଏହା ପରେ ଗିୟର ବଦଳାଇଥିଲେ ରୋହିତ । ପରବର୍ତ୍ତୀ ୫୦ ରନ ମାତ୍ର ୨୮ ବଲରେ ସଂଗ୍ରହ କରି ଶତକ ହାସଲ କରିଥିଲେ । ୧୦୦ ରୁ ୧୫୦ ପହଞ୍ଚିବାକୁ ରୋହିତ ମାତ୍ର ୨୫ଟି ବଲ ଖେଳିଥିଲେ । ୧୫୧ ବଲ ଖେଳି ୨୦୦ ରନରେ ପହଞ୍ଚି ଯାଇଥିଲେ ରୋହିତ ଶର୍ମା ।