ନ୍ୟୁଜ୍

ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସିବେ l

ସତ୍ୟଶିଖା ( ନୂଆଦିଲ୍ଲୀ/ପୁରୀ ) ୧୮.୦୩.୨୦୨୧ : ଆସନ୍ତା ୨୧ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ 22 ତାରିଖରେ ସେ ପୁରୀ ଓ କୋଣାର୍କ ପରିଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ଲୁ ବୁକ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯିବ। ଏଥିପାଇଁ ହେଲିପ୍ୟାଡ଼ ଠାରୁ ଆରମ୍ଭ କରି  ଶ୍ରୀମନ୍ଦିର ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରାଷ୍ଟ୍ରପତିଙ୍କ ଗସ୍ତସୂଚୀ ପ୍ରଶାସନର ହସ୍ତଗତ ହୋଇନଥିଲେ ମଧ୍ୟ ଗସ୍ତକୁ ଦୃଷ୍ଟିରେ ରଖି ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଭିତରେ ପୂର୍ବ ପ୍ରସ୍ତୁତିକୁ ଆଜି ଏସପି କେ.ଵିଶାଲ ସିଂ ଅନୁଧ୍ୟାନ କରିଛନ୍ତି। ୨୦୧୮ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସିଥିବାବେଳେ ଏହା ତାଙ୍କର ଦ୍ଵିତୀୟ ଗସ୍ତ। ରାଷ୍ଟ୍ରପତିଙ୍କ ପୁରୀ ଓ କୋଣାର୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

ରାଷ୍ଟ୍ରପତି ବାୟୁସେନାର ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ତାଙ୍କ କ୍ୟାରକେଡ୍ ଚକ୍ରତୀର୍ଥ,ଭିଆଇପି ରୋଡ ଓ ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ନିକଟକୁ ଯିବ। ସେଠାରୁ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀରୁ ଫେରିବା ପରେ ରାଷ୍ଟ୍ରପତି କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ଓ ସୁରକ୍ଷା ପାଇଁ ପୁରୀ ଓ କୋଣାର୍କରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

 

Show More
Back to top button