
ସତ୍ୟଶିଖା ୦୩/୦୨/୨୦୨୧ : ହାଇୱେ ପାଟ୍ରୋଲିଂ ସେବାକୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନସିଂ ଜରିଆରେ ହାଇୱେ ପାଟ୍ରୋଲିଂ ସେବାର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ସେବାର ଆରମ୍ଭ କରିଛନ୍ତି । ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ଟି ଜିଲ୍ଳାର ଜାତୀୟ ଓ ରାଜ୍ୟ ରାଜପଥ ଗୁଡ଼ିକରେ ୩୬ଟି ହାଇୱେ ପାଟ୍ରୋଲିଂ ଗାଡ଼ି ବୁଲିବ ।
ଭୁବନେଶ୍ୱର, ଖୋର୍ଦ୍ଧା, ମଙ୍ଗୁଳି, ପାଣିକୋଇଲି) ରାଜପଥ ଉପରେ କଡା ନଜର ରଖିବ ଏହି ପାଟ୍ରୋଲିଂ ଗାଡି । ଜାତୀୟ ଓ ରାଜ୍ୟ ରାଜପଥରେ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା, ଅପରାଧ, ଗୁଣ୍ଡାରାଜ ଓ ଦ୍ରୁତ ଗାଡି ଚାଳନା ଉପରେ ରୋକ ଲଗାଇବ, ହାଇୱେ ପାଟ୍ରୋଲିଂ ସେବା । ଜାତୀୟ ରାଜପଥରେ ହେଉଥିବା ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି ।
କଟକ ଟାଙ୍ଗୀ ଥାନ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ମଙ୍ଗୁଳି ଏକ ବ୍ୟସ୍ତ ବହୁଳ ଅଂଚଳ । ହାଇୱେ ପାଟ୍ରୋଲିଂ ସେବାର ଶୁଭାରମ୍ଭ ନେଇ ଏଠାରେ କଟକ ଜିଲ୍ଲା ଗ୍ରାମାଂଚଳ ଏସ.ପି ଯୁଗୋଳ କିଶୋରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ପୋଲିସ ଡି.ଜି ଅଭୟ, ଆଇ.ଜି କ୍ରାଇମ୍ ଅମିତେନ୍ଦ୍ର ନାଥ ସିହ୍ନା, ଜିଲ୍ଲାପାଳ ଭବାନି ଶଙ୍କର ଚଇନି, ସାଲେପୁର ବିଧାୟକ ପ୍ରଶାନ୍ତ ବେହୋରାଙ୍କ ସମେତ ବହୁ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇବା ପରେ ରାଜପଥରେ ହାଇୱେ ପାଟ୍ରୋଲିଂ ଗାଡି ଗଡିଛି । ଏହି ଗାଡି ୧୬ ନମ୍ବର ରାଜପଥରେ ମଙ୍ଗୁଳି ଠାରୁ ଛତିଆ, ୫୫ ନମ୍ବର ରାଜପଥ ମଙ୍ଗୁଳି ଠାରୁ ଛତିଆ ଓ ମଙ୍ଗୁଳି ଠାରୁ ଖୁଂଟୁଣି ପର୍ଯ୍ୟନ୍ତ ପାଟ୍ରୋଲିଂ କରିବ । ଅମାନିଆ ମଦ୍ୟପ ଗାଡି ଚାଳକଙ୍କୁ ସାବାଡ କରିବା ସହ ଦୁର୍ଘଟଣା ଜନିତ ସବୁ ଘଟଣା ଉପରେ କଡା ନଜର ରଖିବ ।ଭୁବନେଶ୍ୱରରେ ଭିଡିଓ କନଫରେନ୍ସସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଉଦଘାଟନ କରିଥିବା ବେଳେ ଖୋର୍ଦ୍ଧାରେ ୩ଟି ପାଟ୍ରୋଲିଂ ଗାଡିର ଶୁଭାରମ୍ଭ ହୋଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ୍, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ପୁଲିସ ଡିଆଇଜି ଆଶିଷ ସିଂ, ଜିଲ୍ଲାପାଳ ସନତ ମହାନ୍ତିଙ୍କ ଉପସ୍ଥିତିରେ ହାଇୱେ ପାଟ୍ରୋଲିଂ ଗାଡି ଗଡିଛି । ଏହି ୩ଟି ହାଇୱେ ପାଟ୍ରୋଲିଂ ଗାଡି ଖୋଦ୍ଧା ପିତାପଲି ଠାରୁ ବାଲୁଗାଁ ଯାଏଁ ରାଜପଥ ଉପରେ ନଜର ରଖିବ ।
ସେହିଭଳି ଯାଜପୁର ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ହାଇୱେ ପେଟ୍ରୋଲିଂ ସେବାର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨ଟି ଗାଡି ହାଇୱେ ପେଟ୍ରୋଲିଂ ସେବାରେ ଲାଗିଛି । ଆଗକୁ ଆହୁରି ୩/୪ ଟି ଗାଡି ଏହି ସେବାରେ ସାମିଲ କରାଯିବ । ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥରେ ହାଇୱେ ପାଟ୍ରୋଲିଂ ଗାଡି ବୁଲିବ । ଏବଂ ଜାତୀୟ ରାଜପଥରେ ଘଟୁଥିବା ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯିବ ବୋଲି ଏସ.ପି ସୂଚନା ଦେଇଛନ୍ତି ।