ଲଦାଖରେ ବିଶ୍ବର ସର୍ବୋଚ୍ଚ ସଡ଼କ

ସତ୍ୟଶିଖା(ନୂଆଦିଲ୍ଲୀ) ୦୫.୦୮ .୨୦୨୧:  ଭାରତ ଲଦାଖର ଉମ୍‌ଲିଙ୍ଗ୍ଲା ପାସ୍‌ (ଗିରିପଥ)ଠାରେ ବିଶ୍ବର ସର୍ବୋଚ୍ଚ ସଡ଼କ ନିର୍ମାଣ କରୁଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୯,୩୦୦ ଫୁଟ ଉଚ୍ଚରେ ସୀମାନ୍ତ ସଡ଼କ ନିର୍ମାଣ ସଂସ୍ଥା (ବିଆରଓ) ଦ୍ବାରା ଏହି ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବ୍ଲାକ୍‌ ଟପ୍‌ ସଡ଼କ ସହିତ ଏହି ୫୨କିଲୋମିଟର ସଡ଼କର ସଂଯୋଗ ହେବ। ପୁନଶ୍ଚ ଏହା ଚୁମାର, ଡେମଚକ୍‌, ଚିସୁମ୍‌ଲେ, ଲେହ ଓ ପୂର୍ବ ଲଦାଖର ସହରାଞ୍ଚଳ ସହିତ ଯୋଗାଯୋଗ ସ୍ଥାପନ କରିବ। ଏଭରେଷ୍ଟ ଶୃଙ୍ଗର ଆଧାର ଶିବିରଠାରୁ ଏହି ସ୍ଥାନ ଅଧିକ ଉଚ୍ଚ ହେବ। ଏଭରେଷ୍ଟର ମୂଳ ଶିବିର କାଠମାଣ୍ଡୁ ପଟେ ୧୭,୫୯୮ ଫୁଟ ଉଚ୍ଚରେ ଥିବାବେଳେ ତିବ୍‌ବତ ପଟେ ୧୬,୯୦ ଫୁଟ ଉଚ୍ଚରେ ରହିଛି। ଉମ୍‌ଲିଙ୍ଗ୍ଲା ପାସ୍‌ ସଡ଼କ ନିର୍ମାଣ ଶେଷ ହେଲେ ଏହା ପୂର୍ବରୁ ବିଶ୍ବର ସର୍ବୋଚ୍ଚ ସଡ଼କ ଭାବେ କୀର୍ତ୍ତିମାନ ସ୍ଥାପନ କରିଥିବା ବଲିଭିଆକୁ ଅତିକ୍ରମ କରିବ। ବଲିଭିଆର ଉଟୁରୁଞ୍ଚୁ ଆଗ୍ନେୟଗିରି ଦେଇ ଯାଇଥିବା ସଡ଼କ ୧୮,୯୫୩ ଫୁଟ ଉଚ୍ଚରେ ଅବସ୍ଥିତ। ଉମ୍‌ଲିଙ୍ଗ୍ଲା ସଡ଼କ ନିର୍ମାଣ ପରେ ୩୦ହଜାର ଫୁଟ ଉପରେ ବାଣିଜ୍ୟିକ ବିମାନ ମଧ୍ୟ ଉଡ଼ିପାରିବ। ଏହାଦ୍ବାରା ଲଦାଖର ସାମାଜିକ ଓ ଅର୍ଥନୈତିକ ବିକାଶ ସହଜ ହେବ। ସୂଚନାଯୋଗ୍ୟ ଯେ ଉକ୍ତ ଅଞ୍ଚଳର ତାପମାତ୍ରା ଅଧିକାଂଶ ସମୟରେ ବିଯୁକ୍ତ ୪୦ରୁ ବିଯୁକ୍ତ ୫୦ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ପୂର୍ବରୁ ଲଦାଖର ଖାରଦୁଙ୍ଗ ଲା ପାସ୍‌ ସଡ଼କ ବିଶ୍ବର ଅନ୍ୟତମ ସର୍ବୋଚ୍ଚ ସଡ଼କ ଭାବେ ପରିଚିତ। ଏହା ୧୭,୬୦୦ ଫୁଟ ଉଚ୍ଚରେ ଅବସ୍ଥିତ।

Exit mobile version