ସତ୍ୟଶିଖା( ଭୁବନେଶ୍ୱର )୨୬.୦୨.୨୦୨୨ : ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କର ଶେଷକୃତ୍ୟ ଜନ୍ମମାଟି ଠାକୁରପଡ଼ାରେ ଅନ୍ତିମ ସତ୍କାର ହେବ । ଏହାପୂର୍ବରୁ ହେମାନନ୍ଦଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବିଧାନସଭାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ବିଧାନସଭା ପରିସରରେ ସ୍ୱର୍ଗତ ବିଶ୍ୱାଳଙ୍କ ମରଶରୀରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଧାନସଭାରେ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯାଇଥିଲା । କଂଗ୍ରେସ ଭବନରେ ହେମାନନ୍ଦଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବରିଷ୍ଠ ନେତା ।
ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଏହାପରେ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ହେମାନନ୍ଦ ବିଶ୍ୱାଳଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତି ବିଶେଷକରି ପଶ୍ଚିମ ଓଡ଼ିଶା ରାଜନୀତିରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଜନ୍ମମାଟି ଠାକୁରପଡ଼ାରେ ତାଙ୍କର ଅନ୍ତିମ ସତ୍କାର ହେବ ।
ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଏକ ଅଣରାଜନୈତିକ ସାଧାରଣ ଆଦିବାସୀ ପରିବାରରେ ଜନ୍ମିତ ହେମାନନ୍ଦ ବିଶ୍ୱାଳ ଦୁଇ ଦୁଇ ଥର ଓଡ଼ିଶାର ସର୍ବୋଚ୍ଚ ରାଜନୈତିକ ପଦ ମଣ୍ଡନ କରିଥିଲେ । ସ୍ୱଳ୍ପ ସମୟ ପାଇଁ ହେଲେ ବି ସେ ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବ୍ୟକ୍ତି ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ନିଜ ରାଜନୈତିକ ଜୀବନରେ ହେମାନନ୍ଦ ଅନେକ ଉତ୍ଥାନ ପତନ ଦେଖିଛନ୍ତି । ୧ ଡିସେମ୍ବର ୧୯୩୯ରେ ଝାରସୁଗୁଡ଼ା ଜିଲ୍ଲା ଠାକୁରପଡ଼ାରେ ତାଙ୍କର ଜନ୍ମ ।ହେମାନନ୍ଦ ବିଶ୍ୱାଳ ରାଜ୍ୟରେ ୧୨ ତମ ମୁଖ୍ୟମନ୍ତ୍ରୀ ଥିଲେ । ଲାଇକେରା ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ଏହି ଆସନରେ ବସିଥିଲେ । ୧୯୮୯ ମସିହା ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଆଉ ୧୯୯୦ ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମାତ୍ର ୮୮ ଦିନ ପାଇଁ ସେ ଏହି ଆସନରେ ବସିବାର ସୌଭାଗ୍ୟ ପାଇଥିଲେ । ହେମାନନ୍ଦ ବିଶ୍ୱାଳ ଝାରସୁଗୁଡା ଜିଲ୍ଲାର ଠାକୁରପଡା ଗାଁରେ ଜନ୍ମ ଗ୍ରହଣ କରିଥିଲେ। ସେ ଉର୍ମିଳା ବିଶ୍ୱାଳଙ୍କୁ ବିବାହ କରିଥିଲେ । ତାଙ୍କର ୫ ଜଣ ଝିଅ ଥିଲେ । ବଡ ଝିଅ ଗତବର୍ଷ ଏପ୍ରିଲରେ ପ୍ରାଣ ହରାଇଥିଲେ ।
ହେମାନନ୍ଦ ବିଶ୍ୱାଳଙ୍କ ରାଜନୈତିକ କ୍ୟାରିୟର:
ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ଠାକୁରପଡ଼ା ଗ୍ରାମରେ ୧୯୩୯ ଡିସେମ୍ବର ୧ ରେ ଜନ୍ମଗ୍ରହଣ କରିଥିଲେ ହେମାନନ୍ଦ ବିଶ୍ୱାଳ । ସୁନ୍ଦରଗଡ଼ ସରକାରୀ କଲେଜରୁ କୃଷବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ୭୦ ଦଶକରେ ପଞ୍ଚାୟତ ରାଜନୀତିରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ କ୍ୟାରିୟର । ଏହାପୂର୍ବରୁ ୧୯୬୭ ରୁ ୭୧ ପର୍ଯ୍ୟନ୍ତ କିରିମିରା ପଞ୍ଚାୟତ ସମିତିର ଚେୟାରମ୍ୟାନ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ।
୧୯୭୪ ରେ ପ୍ରଥମ ଥର ପାଇଁ ହୋଇଥିଲେ ବିଧାୟକ । ୧୯୭୪ ରୁ ୧୯୭୭ ଏବଂ ୧୯୮୦ ରୁ ୨୦୦୪ ପର୍ଯ୍ୟନ୍ତ ୬ ଥର ଲଇକେରା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୫ରୁ-୧୯୮୬ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୫-୯୮ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ୨୦୦୯-୧୪ ପର୍ଯ୍ୟନ୍ତ ସୁନ୍ଦରଗଡ଼ ସାଂସଦ ହୋଇଥିଲେ । ଏହାସହ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ, ରାଜ୍ୟ ଅନୁସୂଚିତ ଜାତି ଏବଂ ଜନଜାତି ବିଧାନ ପରିଷଦର ଅଧ୍ୟକ୍ଷ ଭଳି ଅନେକ ଗରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି । ହେମାନନ୍ଦ ୧୯୮୯ ମସିହା ଡିସେମ୍ବର ୭ ରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଓ ୧୯୯୯ ମସିହା ଡିସେମ୍ବର ମାସ ୬ରୁ ୨୦୦୦ ମସିହା ମାର୍ଚ୍ଚ ମାସ ୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ସୁନ୍ଦରଗଡ଼ ସାଂସଦ ରହିଥିଲେ । ସେ ହେଉଛନ୍ତି ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ।