ସତ୍ୟଶିଖା( ଭୁବନେଶ୍ୱର)୦୯ .୦୭ . ୨୦୨୨: ସମ୍ପ୍ରତି ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମ ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି । ଅନ୍ୟପକ୍ଷରେ ମୌସୁମୀ ଟ୍ରଫ୍ ଲାଇନ ବର୍ତ୍ତମାନ ଉତ୍ତର-ପଶ୍ଚିମ ଏବଂ ଏହାର ଆଖପାଖ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଦେଇ ଗତି କରୁଛି । ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ୪ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୬ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଜୁଲାଇ ୯ ତାରିଖ ଶନିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେଥିପାଇଁ ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ପ୍ରଭୃତି ୬ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ୯ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ବଲାଙ୍ଗୀର ଓ ରାୟଗଡ଼ା ଆଦି ଜିଲ୍ଲା ଏବଂ ୧୦ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ ।
ଅନୁଗୁଳ, ଢେଙ୍କାନାଳ, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, କଟକ, ସୋନପୁର, ସୁନ୍ଦରଗଡ଼ ଓ ଦେବଗଡ଼ରେ ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆଜି ରାଜଧାନୀ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି ।