

ସତ୍ୟଶିଖା( ଭୁବନେଶ୍ୱର )୧୫.୦୭ . ୨୦୨୨: ଚଳିତ ବର୍ଷ ଆଷାଢ଼ ମାସରେ ରାଜ୍ୟରେ ଯେତେ ପରିମାଣର ବର୍ଷା ହେବା କଥା ତାହା ହୋଇପାରି ନାହିଁ । କିଛି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଆଉ କେତେକ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଓ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ଆଗାମୀ ୨୪ ଘଣ୍ଟାରେ କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିଭଳି ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ, ସୋନପୁର ଓ ବୌଦ୍ଧରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ସ୍ୱାଭାବିକ ଠାରୁ ୫% କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ଜୁନ୍ ୧ରୁ ଜୁଲାଇ ୧୪ ମଧ୍ୟରେ ରାଜ୍ୟରେ ୩୪୫.୫ ମିଲିମିଟର ବର୍ଷା ହେବ କଥା । ହେଲେ ବର୍ଷା ହୋଇଛି ୩୪୦.୮ ମିଲିମିଟର । ୬ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ପରିମାଣର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ ନୂଆପଡ଼ା । ସେହିଭଳି ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ସେହି ଜିଲ୍ଳାଗୁଡ଼ିକ ହେଲା ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ଏହି ୧୩ଟି ଜିଲ୍ଲାକୁ ଛାଡ଼ିଦେଲେ ଅବଶିଷ୍ଟ ୧୭ଟି ଜିଲ୍ଲା ସ୍ୱାଭାବିକ ବର୍ଷା ହୋଇଥିବା ସୂଚନା ଦିଆଯାଇଛି ।