ନ୍ୟୁଜ୍

୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା l

ସତ୍ୟଶିଖା ୦୮.୦୮.୨୦୨୦ : ଆଜି ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ । ସେହିପରି କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ସୂଚନାନୁଯାୟୀ, ୯ ତାରିଖ ସନ୍ଧ୍ୟା ବେଳକୁ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବର୍ଷା ହେଲେ କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ । ମନସୁନ୍‌ ଟ୍ରପ୍‌ ଲାଇନ୍‌ ମିର୍ଜାପୁର, ବାଙ୍କୁଡା ଓ ଦୀଘା ହୋଇ ଦକ୍ଷିଣ ପଶ୍ଚିମ ଆଡ଼କୁ ଗତି କରୁଛି । ଯାହା ଉତ୍ତର-ପୂର୍ବ ବଙ୍ଗୋପସାଗରରେ ମିଶିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ସେହିପରି ଘୂର୍ଣ୍ଣିବଳୟରୁ ସୃଷ୍ଟି ହୋଇଥିବା ଅନ୍ୟ ଏକ ଟ୍ରପ୍‌ଲାଇନ୍‌ କୁଚ୍‌, ଗାଙ୍ଗେୟ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଓ ଝାଡ଼ଖଣ୍ଡର ଉପରିଭାଗରେ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ସମେତ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୯ ତାରିଖ ସନ୍ଧ୍ୟା ବେଳକୁ ଲଘୁଚାପ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୯ ରାତି କିମ୍ବା ୧୦ ତାରିଖରୁ ବର୍ଷା ବଢ଼ିବ । ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ସେହିପରି ୧୨ ତାରିଖ ଉପରବେଳାରୁ ୧୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ।

Show More
Back to top button