ସେ କହିଛନ୍ତି, ଏହି ଜିଲ୍ଲାର ୧୦ ବ୍ଲକ ମଧ୍ୟରୁ ସର୍ବାଧିକ ଡାବୁଗାଁ ବ୍ଲକରେ ୨୨୫ ଏମ୍ଏମ୍, ପାପଡାହାଣ୍ଡିରେ ୧୯୦ ଏମ୍ଏମ୍ ଓ କୋସାଗୁମୁଡ଼ା ବ୍ଲକରେ ୧୪୫ ଏମ୍ଏମ୍ ବର୍ଷା ହୋଇଛି। ଏହି ସ୍ଥାନମାନଙ୍କରେ ସର୍ବାଧିକ ଘର ଭାଙ୍ଗିବା ଖବର ମିଳିଛି। ଯେତେବେଳେ କି ନବରଙ୍ଗପୁରରେ ୧୦୪ ଏମ୍ଏମ୍ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ଜିଲ୍ଲାରେ ହାରାହାରି ଶତକଡା ୧୦୧.୫୫ ଏମ୍ଏମ୍ ବର୍ଷା ହୋଇଛି। ଜିଲ୍ଲାର ଇନ୍ଦ୍ରାବତୀ, ତୁରୀ ଓ ଭାସ୍କେଲ ନଦୀ ସହ ସମସ୍ତ ଛୋଟବଡ଼ ନଦୀ, ନାଳ ଫୁଲି ଉଠିଛି।କୋଷାଗୁମୁଡା ବ୍ଲକରେ ବିଭିନ୍ନ ଗ୍ରାମରେ ପାଣି ପଶି ଯାଇଥିବା ଖବର ମିଳିଛି। ଏଠାର ୬ ପଞ୍ଚାୟତ ଯଥା ଉକିଆପାଲି, ବିଞ୍ଜଳି, କେ.ସେମେଳା, ଚିର୍ମା, ସାନଆମଡା ଓ ବାମୁଣିର ପ୍ରାୟ ୧୭ଟି ଗାଁରେ ବନ୍ୟା ପାଣି ପଶିଛି। ଉଭୟ ଇନ୍ଦ୍ରାବତୀ ଏବଂ ଭାସ୍କେଲ ନଦୀର ସଙ୍ଗମସ୍ଥଳ ପାଣି ଫୁଲିବା ଏହାର କାରଣ ହୋଇଛି।
ଲଗାଣ ବର୍ଷା ଯୋଗୁ ନଈ କୁଳିଆ ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବର୍ଷା ଯଦି ଏହି ଭଳି ଲାଗି ରହେ ତେବେ ନିଶ୍ଚିତ ଭାବେ ବନ୍ୟା ପରିସ୍ଥିତ ଦେଖା ଦେବ। ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବ୍ଲକମାନଙ୍କର ବିଡ଼ିଓମାନଙ୍କୁ ସତର୍କ କରିଦିଆଯାଇଛି। ସମସ୍ତଙ୍କୁ ଖାଦ୍ୟ ସାମଗ୍ରୀ ସହ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳରେ ଲୋକଙ୍କୁ ଉଦ୍ଧାର ଓ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ରହିଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।