

ସତ୍ୟଶିଖା(ଭୁବନେଶ୍ୱର ) ୧୫.୦୮ .୨୦୨୧: ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖାପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଏବେ ଛତିଶଗଡ଼ ଏବଂ ଏହାର ଆଖପାଖକୁ ବ୍ୟାପିଛି। ଯାହାର ପ୍ରଭାବରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତାକାଲିଠାରୁ କେତେକ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣ୍ଣି ଜାରି କରାଯାଇଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନରେ ସମସ୍ୟା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଥିବା ସ୍ବତନ୍ତ୍ର ରିଲିଫ ଆୟୁକ୍ତଏସ୍ଆର୍ସି ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ଚିଠିରେ ଏସ୍ଆରସି ଉଲ୍ଲେଖ କରିଛନ୍ତି ଯେ, ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଳାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ସେହିପରି ସହରାଞ୍ଚଳରେ ତଳିଆ ସ୍ଥାନରେ ପାଣି ଭର୍ତ୍ତି ହୋଇ ବିପରୀତ ପରିସ୍ଥିତି ସୃଷ୍ଟି କରିପାରେ।
ତେଣୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦେଶ ଦେଇଛନ୍ତି। ବର୍ଷାର ପ୍ରଭାବରେ ସମୁଦ୍ରରେ ପବନର ବେଗ ଘଣ୍ଟା ପିଛା ୪୫ କିଲୋମିଟର ରହିପାରେ। ତେଣୁ ୧୭ ତାରିଖ ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୧୫ରୁ ୧୬ ତାରିଖ ମଧ୍ୟରେ ରାଜ୍ୟର ୧୦ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର,ମୟୂରଭଞ୍ଜ ଓ କେନ୍ଦୁଝର ରହିଛି। ଏଥିସହିତ ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ,ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି।