ସତ୍ୟଶିଖା (ଭୁବନେଶ୍ୱର) ୨୨/୧୦/୨୦୨୦ : ବଳ ଜୁଟାଉଛି ଲଘୁଚାପ । ଏହା ଭୀଷଣ ଅବପାତ (ଡିପ୍ ଡିପ୍ରେସନ୍) ରୂପ ନେଇପାରେ । ଏହା ଓଡ଼ିଶା ଆସିବ ନାହିଁ । ଯିବ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶକୁ । କିନ୍ତୁ, ଓଡ଼ିଶା ଉପକୂଳ ପାଖ ଦେଇ ଆଗକୁ ବଢ଼ିବ। ତେଣୁ ଓଡ଼ିଶାରେ ଆହୁରି ଦୁଇଦିନ ବର୍ଷା କରାଇବ। ବିଶେଷ କରି ଆଜି ଉପକୂଳ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ରହିଛି ।
ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନଟ (ୱେଲ୍ ମାର୍କଡ) ଅବସ୍ଥାରେ ଅଛି । ଆସନ୍ତା ୨୪ ଘଣ୍ଟା ଭିତରେ ଅବପାତ (ଡିପ୍ରେସନ) ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇ ଭୀଷଣ ଅବପାତ (ଡିପ୍ ଡିପ୍ରେସନ୍) ହେବା ସମ୍ଭାବନା ଅଛି । ଗୁରୁବାର ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗରେ ଗତିି କରିବ । ପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ବଢ଼ିବ । ସମ୍ଭବତଃ ୨୪ ତାରିଖ ସକାଳେ ଅବପାତ ଅବସ୍ଥାରେ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ।
ଏହା ପ୍ରଭାବରେ ବୁଧବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଗୁରୁବାର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଲଗାଣ ବର୍ଷା ଯୋଗୁ ତଳି ଅଞ୍ଚଳରେ ପାଣି ପଶିବା ସହ କେତେକ ଜାଗାରେ ଭୂସ୍ଖଳନ ହୋଇପାରେ । ଏହାବାଦ୍ ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ଶୁକ୍ରବାର ଉପକୂଳ ଓଡ଼ିଶାର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ । ଶନିବାରଠାରୁ ବର୍ଷା ପରିମାଣ କମିବ । ତଥାପି କିଛି କିଛି ଜାଗାରେ ବର୍ଷା ସମ୍ଭାବନା ଅଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଏହା ସମ୍ଭବତଃ ପଶ୍ଚିମବଙ୍ଗକୁ ଯିବ । ଓଡ଼ିଶା ଉପକୂଳରୁ ୬୦ରୁ ୧୦୦ କିମି ଦୂରରେ ଯିବା ସମ୍ଭାବନା ଥିବାରୁ ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୪ରୁ ବର୍ଷା କମିଲେ ମଧ୍ୟ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତିଦିନ କେତେକ ଜାଗାରେ ଅସରାଏ ଲେଖାଏଁ ବର୍ଷା ହୋଇପାରେ ।
ତେବେ କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଭିନ୍ନ । ତାଙ୍କ ଆକଳନ ହେଲା, ଏହି ଲଘୁଚାପ ଘନୀଭୂତ ହେଲେ ମଧ୍ୟ ବିଶେଷ ବର୍ଷା ହେବନି ଓଡ଼ିଶାରେ। ସେ ପୂର୍ବାନୁମାନ କରିଛନ୍ତି, ୨୨ ତାରିଖ ମଧ୍ୟାହ୍ନବେଳକୁ ଲଘୁଚାପ ଅବପାତରେ ପରିଣତ ହୋଇ ପଳାଶା ଓ ଗୋପାଳପୁରଠାରୁ ଦୂରରେ ଥିବ। ୨୩ ତାରିଖ ମଧ୍ୟାହ୍ନବେଳକୁ ଗଭୀର ଅବପାତ ଅବସ୍ଥାରେ ଚାନ୍ଦବାଲିରୁ ଦୂରରେ ଥିବ। ମଧ୍ୟରାତ୍ରିବେଳକୁ ପଶ୍ଚିମବଙ୍ଗ-ବାଂଲାଦେଶର ସାଗର ଦ୍ୱୀପ ଅତିକ୍ରମ କରିବା ପରେ ଦୁର୍ବଳ ହୋଇ ବାଂଲାଦେଶ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଛି।
୨୧ରୁ ୨୩ ତାରିଖ ଭିତରେ ସମସ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲା ସହ ଗଜପତି, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର ଓ ସମ୍ବଲପୁରରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ସମୁଦ୍ର ସଂଲଗ୍ନ ଅଞ୍ଚଳରେ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ। ୨୪ ଓ ୨୫ରେ ରାଜ୍ୟର ଅଧିକାଂଶ ଜାଗାରେ ପାଗ ମେଘୁଆ ବା ଆଂଶିକ ମେଘୁଆ ରହିବ। ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ହାଲୁକାରୁ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।
୨୩ ତାରିଖ ପରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ଓ ୨୫ ତାରିଖ ପରେ ସାରା ରାଜ୍ୟରେ ଉତ୍ତର ଭାରତରୁ ଶୁଖିଲା ପବନ ଆସିବା ଆରମ୍ଭ ହେବ। ୨୭ ତାରିଖରେ ବଲାଙ୍ଗିରରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବ। ଭୁବନେଶ୍ୱରରେ ୨୯ ତାରିଖରୁ ତାପମାତ୍ରା କମିବ । ଅନୁମାନ କରାଯାଉଛି ୨୭ରୁ ୨୯ ତାରିଖ ଭିତରେ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ କମିବା ଯୋଗୁ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇପାରେ।