ସତ୍ୟଶିଖା ୦୬/୦୮/୨୦୨୫: ମାଟି ଅତଡ଼ା ଖସି ସମ୍ପୂର୍ଣ୍ଣ ଧରାଲିରେ ଅଞ୍ଚଳକୁ କରିଦେଇଛି ଛାରଖାର । ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି । ଅନେକ ଘର ଏବଂ ହୋଟେଲ ଧ୍ୱଂସ ହୋଇଯାଇଛି । ଏହା ସହିତ ହର୍ସିଲରେ ହେଲିପ୍ୟାଡ୍ ଏବଂ ସେନାର କ୍ୟାମ୍ପ ମଧ୍ୟ ବାଦଲଫଟା ବର୍ଷାରେ କ୍ଷତିଗ୍ରସ୍ଥ ହୋଇଛି । ଖାଲି ଏତିକି ନୁହେଁ ଭାରତୀୟ ସେନାର ୮ ରୁ ୧୦ ଜଣ ଯବାନ ନିଖୋଜ ଥିବାର ମଧ୍ୟ କୁହାଯାଉଛି । ଧରାଲିରେ ବିପର୍ଯ୍ୟୟ ଆସିବା ପରେ ସେନାର ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସେନା ଏକ ପୋଷ୍ଟରେ କହିଛି ସୂଚନା ମିଳିବା ମାତ୍ରେ ଆଇବ୍ରେକ୍ସ ବ୍ରିଗେଡର ଯବାନମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ବିପର୍ଯ୍ୟୟରେ ହୋଇଥିବା କ୍ଷତିର ଆକଳନ କରାଯାଉଛି । ବିପର୍ଯ୍ୟୟର ଘଡ଼ିସନ୍ଧି ମୁହୂର୍ତ୍ତରେ ସେନା ଲୋକମାନଙ୍କ ସହିତ ଅଛଛି ।
ରାଜ୍ୟ ସରକାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉତ୍ତରକାଶୀ ଜିଲ୍ଲାରେ ୩ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସ୍ଥିତିର ସମୀକ୍ଷା କରିବା ପାଇଁ ଷ୍ଟେଟ୍ ଡିଜାଷ୍ଟର ଅପରେସନ ସେଣ୍ଟରରେ ପହଞ୍ଚିଛନ୍ତି । ସେନା ସହିତ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ଙ୍କ ତରଫରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରାଯାଉଛି । ହର୍ସିଲ ପୋଷ୍ଟରେ ନିୟୋଜିତ ସେନା ବାର୍ଟାଲିୟନ୍ ପ୍ରଥମେ ଏନେଇ ଆକ୍ସନ୍ ନେଇଥିଲେ ଏବଂ ୧୦ ମିନିଟ୍ ଭିତରେ ଗାଁରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ୨୦ ଜଣ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇସାରିଛି ।ପ୍ରଧାନମନ୍ତ୍ରୀ ମୋଦୀ ଏକ ପୋଷ୍ଟରେ ଧରାଲିରେ ଆସିଥିବା ବନ୍ୟାରେ ପ୍ରଭାବିତ ଲୋକମାନଙ୍କର ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି। ସେ ଏକ ପୋଷ୍ଟରେ ଲେଖିଛନ୍ତି ମୁଁ ଧରାଲିରେ ହୋଇଥିବା ଏହି ଦୁଃଖଦ ଘଟଣାରେ ପ୍ରଭାବିତ ଲୋକମାନଙ୍କ ପ୍ରତି ସମବେଦନା ଜଣାଉଛି। ଏହା ସହିତ ସମସ୍ତ ପ୍ରଭାବିତ ଲୋକଙ୍କର କୁଶଳତା କାମନା କରୁଛି । ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛି ଏବଂ ସ୍ଥିତି ବିଷୟରେ ସୂଚନା ନେଇଛି । ରିଲିଫ୍ ଏବଂ ଉଦ୍ଧାର ଦଳ କାମରେ ଲାଗିଛନ୍ତି । ଲୋକମାନଙ୍କୁ ସାହାଯ୍ୟ ପହଞ୍ଚାଇବାରେ କୌଣସି ଅବହେଳା କରାଯାଉନାହିଁ। ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହିତ କଥା ହୋଇଛନ୍ତି । ସେ ଧରାଲିରେ ଆସିଥିବା ବିପର୍ଯ୍ୟୟ ବିଷୟରେ ସୂଚନା ଦେଇଛନ୍ତି । ଗୃହମନ୍ତ୍ରୀ ଏକ ପୋଷ୍ଟରେ କହିଛନ୍ତି ଧରାଲିରେ ଆସିଥିବା ବନ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସୂଚନା ନେଲି । ପାଖରେ ହିଁ ନିୟୋଜିତ ଆଇଟିବିପିର ୩ଟି ଟିମକୁ ଘଟଣାସ୍ଥଳକୁ ପଠାଇ ଦିଆଯାଇଛି । ଏନ୍ଡିଆର୍ଏଫ୍ର ୪ ଟି ଟିମ ମଧ୍ୟ ପଠାଇ ଦିଆଯାଇଛି ।