ରାଜନୀତି

ପ୍ରବାସୀ ଓଡିଆଙ୍କୁ ଭେଟି ଓଡିଶାକୁ ବଡ କରିବାକୁ ଦେଲେ ଆହ୍ୱାନ

ସତ୍ୟଶିଖା (ଭୁବନେଶ୍ୱର )୦୩.୧୧.୨୦୨୩ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୟୁଏଇ ଗସ୍ତର ଆଜି ତୃତୀୟ ତଥା ଶେଷ ଦିନ । ଗତକାଲି  ଆବୁଧାବୀରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ଲୋକଙ୍କ ଭିତରେ ଥିବା ଆତ୍ମବିଶ୍ବାସକୁ ବଢାଇ ଓଡ଼ିଶାକୁ ବଡ଼ କରିବାକୁ ଦେଇଛନ୍ତି ଆହ୍ବାନ୍ । ୟୁଏଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି ଧର୍ମେନ୍ଦ୍ର । ଦୁଇ ଦେଶର ବହୁମୁଖୀ ସହଭାଗିତାକୁ ଅଧିକ ଶକ୍ତିଶାଳୀ କରିବା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।

ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବୀ ଠାରେ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଓଡ଼ିଆ ସମାଜ ଏକ ଜୀବନ୍ତ ସମାଜ । ଆମ ଓଡ଼ିଆଙ୍କ ପାଖରେ ବୈଶ୍ୱିକ ନେତୃତ୍ୱ ନେବାର ସବୁ ଗୁଣ ଅଛି । ଅତୀତରେ ଆମ ସମୃଦ୍ଧ ରାଜ୍ୟ ଓଡ଼ିଶା ନୌବାଣିଜ୍ୟ ଅର୍ଥନୀତି ରାଜ୍ୟ ଥିଲା । ଆମେ ପୂର୍ବରୁ ସମ୍ପନ୍ନ ଥିବା କାରଣରୁ ହଜାର ହଜାର ବର୍ଷ ପୂର୍ବରୁ କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ବଡ ବଡ ମନ୍ଦିର ତିଆରି କରିଥିଲେ ।

ବିଦେଶରେ ଓଡ଼ିଆ ଲୋକଙ୍କୁ ଦେଖିଲେ ମୋର ଆତ୍ମବିଶ୍ୱାସ ଦୁଇ ଗୁଣା ହୁଏ

ଆମେ କଳିଙ୍ଗ ଯୁଦ୍ଧ ମାଧ୍ୟମରେ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବା ପାଇଁ ବାଧ୍ୟ କରିଥିଲେ । ତିର୍ତ୍ତୋଲରେ ଥିବା ଓଡଙ୍ଗଗଡ ଓଡ଼ିଶାର ପୁରାତନ ସଭ୍ୟତାର ପରିଚୟ ଦେଉଛି । ଆମର ରଘୁରାଜପୁରର ପଟ୍ଟଚିତ୍ର, ଇକତ୍ ନିଖୁଣ କାରିଗରୀରର ପରିଚୟ ଦେଉଛି । ହଜାର ହଜାର ବର୍ଷ ତଳୁ ଓଡ଼ିଆ ଲୋକଙ୍କ ଦ୍ୱାରା ତିଆରି ହୋଇଥିବା ସୃଜନଶୀଳତା ଏବେ ବି ଲୋକଙ୍କ ମଧ୍ୟରେ ଉନ୍ମାଦନା ତିଆରି କରୁଛି । ଆଜି ନୂଆ ସଂସଦ ଭବନ, ଭାରତ ମଣ୍ଡପମରେ କୋଣାର୍କ ଚକ୍ର ଅଛି । ଜି-୨୦ରେ କୋଣାର୍କ ଚକ୍ର ତଳେ ବିଶ୍ୱର ନେତାମାନଙ୍କୁ ସ୍ୱାଗତ କରାଯାଉଛି ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ୟୁଏଇରେ ରହୁଥିବା ଓଡ଼ିଆ ଲୋକମାନଙ୍କୁ ଅଭିଭାବକ ଭାବରେ ସେମାନଙ୍କ ପିଲାଙ୍କୁ ଓଡ଼ିଆରେ କଥାବାର୍ତ୍ତା କରିବା ପାଇଁ ସବୁବେଳେ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଆମ ଓଡ଼ିଆ ଭାଷାର ସ୍ୱତନ୍ତ୍ର ପରିଚୟ ଅଛି । ସ୍ୱାଧୀନ ଭାରତ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଛି । ତେଣୁ ଆମେମାନେ ଓଡ଼ିଆତ୍ୱ ବଜାୟ ରଖିବା । ୨୦୩୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେଉଥିବା ବେଳେ ଓଡ଼ିଶାକୁ ଏକ ନମ୍ବର କରିବା ବୋଲି ସେ କହିଥିଲେ ।

Show More
Back to top button