
ସତ୍ୟଶିଖା (ଲକ୍ଷ୍ମୌ) ୦୧/୧୦/୨୦୨୦ : ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣା ଦେଶକୁ ଦୋହଲାଇ ରଖି ଦେଇଛି । ଯେଉଁଭଳି ଭାବେ ଯୁବତୀଙ୍କ ମୃତ୍ୟୁ ପରେ ପୋଲିସ୍ ତାଙ୍କର ଅନ୍ତିମ ସଂସ୍କାର କରିଛି ତାକୁ ନେଇ ଏବେ ନାନାଦି ପ୍ରଶ୍ନ ଉଠିଛି । ତେବେ ହାଥରସରେ ଯେଉଁ ଯୁବତୀଙ୍କ ସହ ଏଭଳି ଏକ ଅଘଟଣ ହୋଇଛି ସେ ଥିଲେ ଜଣେ ଦଳିତ ପରିବାରର । ତାଙ୍କ ବାପା ଦଳିତ ହୋଇଥିବାରୁ ଏବେ ତାଙ୍କୁ ସମାଜର ତିରସ୍କାରକୁ ସାମ୍ନା କରିବାକୁ ପଡୁଛି । ଯାହାର ଯନ୍ତ୍ରଣାକୁ ସେ ବୟାନ ମଧ୍ୟ କରିପାରୁ ନାହାନ୍ତି । ପୀଡ଼ିତାଙ୍କ ବାପା ଏବେ କହିଛନ୍ତି ଯେତେବେଳେ ବି କୌଣସି ଦୋକାନ ଯାଆନ୍ତି ତାଙ୍କୁ ଦୂରରେ ଠିଆ ହେବା ପାଇଁ କୁହାଯାଏ । କେବଳ ଏତିକି ନୁହେଁ ଉଚ୍ଚ ଜାତି ଲୋକେ ସେମାନଙ୍କୁ ଗାଳିଗୁଲଜ ମଧ୍ୟ କରନ୍ତି । ଏହା ବାଦ୍ ପୀଡ଼ିତାଙ୍କ ଭାଉଜ କହିଛନ୍ତି ‘ଆମେ ଦଳିତ, ଏହା ହିଁ ଆମର ଅପରାଧ ।’ତେବେ ଏ ଦଳିତ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଏଥିପାଇଁ ଚର୍ଚାରେ ଅଛି କାରଣ ଚାରି ଜଣ ଉଚ୍ଚଜାତିର ଲୋକ ତାଙ୍କ ସହ ଏଭଳି ଅମାନୁଷିକ ବ୍ୟବହାର କରିଛନ୍ତି । ଯେଉଁ ଇଲାକାରେ ଏହି ଘଟଣା ଘଟିଛି ସେଠାରେ କେବଳ ଦଳିତ ସମାଜର ୧୫ଟି ପରିବାର ରହନ୍ତି । ପ୍ରାୟ ୬୦୦ ପରିବାର ଥିଲେ ହେଁ ୧୦୦ ପରିବାର କେବଳ ବ୍ରାହ୍ମଣ। ଅନ୍ତିମ ସଂସ୍କାର ପାଇଁ ଉଚ୍ଚଜାତିର ଲୋକଙ୍କ ପାଇଁ ସ୍ଥାନ ରହିଛି। ସେଠାରେ ଦଳିତଙ୍କୁ ସ୍ଥାନୀୟ ମନ୍ଦିରୁ ଯିବାର ଅନୁମତି ମଧ୍ୟ ନାହିଁ ।
ଏ ଘଟଣା ସମଗ୍ର ଦେଶର ଜନତାଙ୍କୁ ଉତ୍ତେଜିତ କରି ରଖିଛି । ଏହା ପରେ ମଧ୍ୟ ପୀଡ଼ିତା ପରିବାରକୁ ଲାଗୁ ନାହିଁ ଯେ ସେମାନଙ୍କ ଜୀବନରେ କିଛି ପରିବର୍ତନ ଆସିବ । ପୀଡ଼ିତାଙ୍କ ମା’ କହିଛନ୍ତି କୌଣସି ପଡୋଶୀ ତାଙ୍କ ଅବସ୍ଥା ବାବଦରେ କିଛି ହେଲେ ଏ ଯାଏଁ ପଚାରି ନାହାନ୍ତି । ଏହା ସହ ଯେଉଁ ଭଳି ଭାବେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ସେଥିରେ ପୂରା ପରିବାର ଚକିତ ଥିବା କହିଛନ୍ତି । ଏହା ସହ କହିଛନ୍ତି ଯଦି ସେହି ଝିଅ ଠାକୁର କି ବ୍ରାହ୍ମଣ କୂଳର ହୋଇଥାନ୍ତା ତେବେ ଏମିତି ବ୍ୟବହାର ପୋଲିସ କେବେ କରି ନ ଥାନ୍ତା ।