ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୧/୨୦୨୧ : କରୋନା ମହାମାରୀ ବ୍ୟାପିବା ୨୦୨୦ର ସବୁଠୁ ଖରାପ ଅନୁଭୂତି ଥିଲା, ଯାହା ଏବେ ବି ଜାରି ରହିଛି । ତଥାପି ୨୦୨୧ର ପ୍ରଥମ ଦିନରୁ ଅନେକ ଖୁସି ଖବର ମିଳିବା ଆରମ୍ଭ ହୋଇଛି । ଇପିଏଫ୍ ଖାତାରେ ସୁଧ ଜମା ପ୍ରକ୍ରିୟା ଆରମ୍ଭ ହେବା ସହ ଜିଓରୁ ଅନ୍ୟ ନେଟ୍ୱର୍କକୁ ମାଗଣା କଲ୍ କରିବା ଓ ଉନ୍ନତ ରେଳ ଟିକଟ ବୁକିଂ ଆଦି ସୁବିଧା ଏଭିତରେ ରହିଛି
ଖାତାକୁ ଆସିବ ଇପିଏଫ୍ ସୁଧ
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର ୬ କୋଟି ସଦସ୍ୟଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷର ସୁଧ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୧ ଜାନୁଆରି ପହିଲାରୁ ସଦସ୍ୟମାନଙ୍କ ଖାତାରେ ଏହି ସୁଧ ରାଶି ଜମା ହେବ ବୋଲି ଇପିଏଫ୍ଓର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଦସ୍ୟମାନଙ୍କୁ ୮.୫ ପ୍ରତିଶତ ସୁଧ ପ୍ରଦାନ କରାଯିବାକୁ ପୂର୍ବରୁ ଘୋଷଣା କରାଯାଇଛି । ୮.୫ ପ୍ରତିଶତ ଇପିଏଫ ସୁଧ ସଦସ୍ୟମାନଙ୍କ ଖାତାକୁ ସ୍ଥାନାନ୍ତର କରିବା ଲାଗି ଶ୍ରମ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇସାରିଛି । ନିର୍ଦ୍ଦେଶ ମୁତାବକ ସେହି ସୁଧ ସଦସ୍ୟମାନଙ୍କ ଖାତାରେ ଜମା ହେବା ଆରମ୍ଭ ହୋଇଯାଇଛି । ଅର୍ଥ ମନ୍ତ୍ରାଳୟର ସମ୍ମତି ହାସଲ କରିବା ପରେ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଆଜି ଇପିଏଫଓ ସଦସ୍ୟମାନଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ପ୍ରଦାନକୁ ମଞ୍ଜୁରି ଦେଇଥିଲେ ।