ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍‌ କଲା ‘ଗୁଲାବ’; ରାତିରେ କୋରାପୁଟ ଦେଇ ଓଡ଼ିଶାରେ ପଶିବ

ସତ୍ୟଶିଖା(ଭୁବନେଶ୍ୱର )୨୭.୦୯ .୨୦୨୧:  ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍‌ କରିଛି ବାତ୍ୟା ‘ଗୁଲାବ’। ଏହାର ପ୍ରଭାବରେ ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ ପ୍ରଭାବ ପଡ଼ିନି। କ୍ଷୟକ୍ଷତି ହୋଇନି। ଗଞ୍ଜାମ, ଗଜପତି, ରାୟଗଡ଼ାରେ ପବନ ବିଶେଷ ନାହିଁ। ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କାଁ ଭାଁ ସ୍ଥାନରେ ହେଉଛି। ଏନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା।

ଶ୍ରୀ ଜେନା କହିଛନ୍ତି, “ବାତ୍ୟା ‘ଗୁଲାବ’ ଶ୍ରୀକାକୁଲମରୁ ଓଡ଼ିଶାର କୋରାପୁଟ ଜିଲ୍ଲାକୁ ପଶିବ। ଏହାର ପ୍ରଭାବରେ ରାତିରେ ଗଜପତି, ରାୟଗଡ଼ା ଓ କୋରାପୁଟରେ ବର୍ଷା ବଢ଼ିବ। ଗଜପତି, ରାୟଗଡ଼ା ଓ କୋରାପୁଟରେ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ଓଡ଼ିଶାରେ ପବନର ବେଗ କମିବ। ୫୦/୬୦ କିମି ବେଗରେ ବହିବ। ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ରାସ୍ତା ଭୂସ୍ଖଳନ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ସଫା କରାଯାଇଛି। ସେହିପରି ଭୂସ୍ଖଳନ ଆଶଙ୍କା କରି ସୋରଡ଼ା-ଦାରିଙ୍ଗବାଡ଼ି ରାସ୍ତାକୁ ସିଲ୍‌ କରାଯାଇଛି।”

ବାତ୍ୟାକୁ ଦେଖି ଆଜି ରାତି ୯ଟା ସୁଦ୍ଧା ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମରେ ସର୍ବାଧିକ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଫ୍ଲାସ ଫ୍ଲଫ୍‌ ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ। ରାତିରେ ବର୍ଷାର ପରିମାଣ ଉପରେ ନିର୍ଭର କରୁଛି ବୋଲି ଏସ୍‌ଆର୍‌ସି କହିଛନ୍ତି।

Exit mobile version