
ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୧/୨୦୨୧ : କରୋନା ମହାମାରୀରେ ବ୍ୟାପକ ପ୍ରଭାବିତ ହୋଇଥିବା ଅର୍ଥବ୍ୟବସ୍ଥା ଧିରେ ଧିରେ ମୁଣ୍ଡ ଟେକି ଠିଆ ହେଉଛି । ବର୍ଷ ୨୦୨୦ ଶେଷ ହୋଇଯାଇଥିବା ବେଳେ ଅର୍ଥବ୍ୟବସ୍ଥାରେ କିଛି ମାତ୍ରାରେ ସୁଧାର ଆଣିଛି । ଡିସେମ୍ବର ମାସରେ ସର୍ବଧିକ G.S.T ଆଦାୟ ହୋଇଥିବା ସୂଚନା ମିଳିଛି । ଏହି ମାସରେ ମୋଟ ୧.୧୫ ଲକ୍ଷ କୋଟି ଟଙ୍କାର G.S.T ଆଦାୟ ହୋଇଛି । ନୂଆ ବର୍ଷର ପ୍ରଥମ ଦିନରେ ଏହି ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର ।
ଲକଡାଉନ୍ ଖୋଲିବା ପରେ ଅର୍ଥ ବ୍ୟବସ୍ଥା ଟ୍ରାକ୍କୁ ଫେରିଛି । ଅର୍ଥ ମନ୍ତ୍ରାଳୟ ଦ୍ବାରା ଶୁକ୍ରବାର ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଡିସେମ୍ବର ମାସରେ G.S.T ରାଜସ୍ବ ଆଦାୟ ୧,୧୫,୧୭୪ କୋଟି ଟଙ୍କା ହୋଇଛି । ଏହା G.S.T ଇତିହାସରେ ଏପର୍ଯ୍ୟନ୍ତ ସର୍ବାଧିକ ମାସିକ ଆଦାୟ ।ଏହା ପୂର୍ବରୁ ଏପ୍ରିଲ ୨୦୧୯ ରେ G.S.T ଆଦାୟ ୧,୧୩,୮୬୬ କୋଟି ଟଙ୍କା ହୋଇଥିଲା । ସେହିପରି ନଭେମ୍ବର ମାସରେ ୮୭ ଲକ୍ଷ G.S.T-3 B ଦାଖଲ ହୋଇଛି । ଡିସେମ୍ବର ୨୦୧୯ ତୁଳନାରେ ଡିସେମ୍ବର ୨୦୨୦ରେ ପ୍ରାୟ ୧୨ ପ୍ରତିଶତ ଅଧିକ G.S.T ଆଦାୟ ହୋଇଛି । ଗତ ନଭେମ୍ବର ୨୦୨୦ରେ ୧,୦୪,୯୬୩ କୋଟି ଟଙ୍କାର G.S.T ଆଦାୟ ହୋଇଥିଲା । ଲକଡାଉନ ଖୋଲିବା ପରେ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ଜାରି ରଖିଥିବା ପଦକ୍ଷେପ ସଫଳ ହେଉଥିବା ଦେଖିବାକୁ ମିଳୁଛି ।