ବଡ ଖବର ଚାକିରୀଆଙ୍କ ପାଇଁ

ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୧୧/୨୦୨୦ : ଶ୍ରମ ମନ୍ତ୍ରାଳୟ ସଂସଦରେ ନୂଆ ଶ୍ରମ କୋଡ଼ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଅନୁଯାୟୀ କାର୍ଯ୍ୟକ୍ଷେତ୍ରରେ ଡ୍ୟୁଟି ୧୨ ଘଣ୍ଟା ହୋଇପାରେ । ଶ୍ରମ ମନ୍ତ୍ରାଳୟ ନୂଆ ଶ୍ରମ କୋଡ଼ରେ ସପ୍ତାହରେ ମୋଟ କାର୍ଯ୍ୟ ସମୟ ବୃଦ୍ଧି କରିନାହାନ୍ତି । ଯାହାଫଳରେ ଆପଣଙ୍କୁ ସପ୍ତାହରେ ୪୮ ଘଣ୍ଟା ହିଁ କାମ କରିବାକୁ ପଡିବ । ଆପଣଙ୍କ ସାପ୍ତାହିକ ଅବକାଶ ମଧ୍ୟ ବଢିପାରେ । ଜାଣନ୍ତୁ କଣ ନୂଆ ଶ୍ରମ କୋଡ଼ :
ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତ ସଂହିତା ୨୦୨୦ ନିୟମ ଅନୁଯାୟୀ ମନ୍ତ୍ରାଳୟ ୧୨ ଘଣ୍ଟା କାମ ପାଇଁ ପ୍ରସ୍ତାବ ଦେଇଛି । ଏହା ମଝିରେ ସ୍ୱଳ୍ପ ସମୟ ପାଇଁ ଅବକାଶ ମଧ୍ୟ ସାମିଲ ଅଛି । କିନ୍ତୁ ଏହି ପ୍ରସ୍ତାବରେ ସାପ୍ତାହିକ କାର୍ଯ୍ୟ ସମୟ ୪୮ ଘଣ୍ଟା ହିଁ ରଖାଯାଇଛି । ବର୍ତ୍ତମାନ ଯେଉଁ ନିୟମ ରହିଛି ତା ଅନୁସାରେ ୮ ଘଣ୍ଟା ସିଫ୍ଟ ୬ ଦିନ ଯାଏଁ ରହିଥାଏ । ଏଥିରେ ଦିନେ ସାପ୍ତାହିକ ଅବକାଶ ଥାଏ । ୯ ଘଣ୍ଟା ସିଫ୍ଟ କଲେ ସପ୍ତାହକୁ ଦୁଇ ଦିନ ଅବକାଶ ମିଳିଥାଏ । ନୂଆ ନିୟମ ଅନୁସାରେ ଦୈନିକ ୧୨ ଘଣ୍ଟା ସିଫ୍ଟ କଲା କଲେ ୩ ଦିନ ଅବକାଶ ମିଳିବ । ଯେକୌଣସି ଦିନ ଓଭର ଟାଇମ ଗଣନାରେ ୧୫ ରୁ ୩୦ ମିନିଟ ସମୟକୁ ୩୦ ମିନିଟ ଗଣତି ହେବ । ବର୍ତ୍ତମାନ ବ୍ୟବସ୍ଥା ଅନୁସାରେ ୩୦ ମିନିଟରୁ କମ ସମୟକୁ ଓଭର ଟାଇମ ହିସାବରେ ଗଣନା କରାଯିବ ନାହିଁ ।ଶ୍ରମ ମନ୍ତ୍ରାଳୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରର କର୍ମଚାରୀ, ଛୋଟ ବ୍ୟବସାୟୀ, ଷ୍ଟ୍ରିଟ ୱାର୍କରସ, ଗ୍ରାମୀଣ ଓ ସହରୀ କ୍ଷେତ୍ରରେ କାମ କରୁଥିବା ସମସ୍ତ ଶ୍ରମିକଙ୍କ ପାଇଁ E.S.I.C ଲାଭ ସୁନିଶ୍ଚିତ କରିଛନ୍ତି । ଏହା ଅନୁସାରେ ସମସ୍ତ ଶ୍ରମିକ ନିଜ ଦରମାର ଏକ ଛୋଟ ଭାଗ ସଞ୍ଚୟ କରି ହସ୍ପିଟାଲ ଓ ଔଷଧଲଯରେ ଫ୍ରିରେ ଚିକିତ୍ସା ସୁବିଧା ନେଇପାରିବେ । ନୂଆ ଶ୍ରମ କୋଡ଼ ଲାଗୁ ହେବାପରେ ପ୍ରବାସୀ ଶ୍ରମିକଙ୍କୁ ବର୍ଷକୁ ଠାରେ ନିଜ ଘରକୁ ଯିବାକୁ ଯାତ୍ରା ଭତ୍ତା ଦେବାକୁ ସର୍ତ୍ତ ରଖାଯାଇଛି । ଏହି ଆଇନ ଲାଗୁ ହେବାପରେ ପ୍ରବାସୀ ଶ୍ରମିକ ନିଜ ରାସନ କାର୍ଡ ଅନ୍ୟ ରାଜ୍ୟକୁ ସହଜରେ ଟ୍ରାନ୍ସଫର କରିପାରିବେ । ଯେଉଁଠାରେ ରହିବେ ସେଠାରେ ରାସନ ଡିଲର ଠାରୁ ନିଜ କୋଟା ହିସାବରେ ରାସନ ନେଇପାରିବେ ।
ଏବେ ସୁଦ୍ଧା ମହିଳା ଶ୍ରମିକଙ୍କୁ ଖନନ ଓ ନିର୍ମାଣ କ୍ଷେତ୍ରରେ କାମ କରିବାକୁ ମଞ୍ଜୁରୀ ମିଳିନଥିଲା । ନୂଆ ଶ୍ରମ କୋଡ଼ ପାସ ହେବାପରେ ମହିଳା ଶ୍ରମିକ ସବୁ କ୍ଷେତ୍ରରେ କାମ କରିପାରିବେ । ସରକାର ନୂଆ ଶ୍ରମ କୋଡ଼ରେ ଶ୍ରମିକଙ୍କ କୌଶଳ ବଢାଇବା କ୍ଷେତ୍ରରେ ଜୋର ଦେଇଛନ୍ତି । ଯାହାଫଳରେ ଶ୍ରମିକ ଉବେର, ଓଲା, ଫ୍ଲିପକାର୍ଟ, ଆମାଜନ ଭଳି କମ୍ପାନୀରେ ସହଜରେ କାମ କରିପାରିବେ ।
ଏବେ ସୁଦ୍ଧା ଦେଶରେ ଅସଂଗଠିତ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳା ଶ୍ରମିକଙ୍କୁ କମ ଦରମା ଦିଆଯାଇଥାଏ । କିନ୍ତୁ ନୂଆ ଶ୍ରମ କୋଡ଼ରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଦରମା ପ୍ରାବଧାନ ରଖାଯାଇଛି । ନୂଆ ଶ୍ରମ କୋଡ଼ରେ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ ସମସ୍ତ ଶ୍ରମିକଙ୍କ ମଜୁରୀରେ ପ୍ରତି ୫ ବର୍ଷରେ ଥରେ ସଂଶୋଧନ ପ୍ରାବଧାନ ରଖାଯାଇଛି । ନୂଆ ଶ୍ରମ କୋଡ଼ ଲାଗୁ ହେବାପରେ ପ୍ରତି ୫ ବର୍ଷରେ ସର୍ବନିମ୍ନ ମଜୁରୀରେ ସଂଶୋଧନ କରିବା ଅନିବାର୍ଯ୍ୟ ହେବ ।