ନ୍ୟୁଜ୍ରାଜ୍ୟ

ସମ୍ପତ୍ତି ତାଲିକା ଦେଉନାହାନ୍ତି ସରକାରୀ କର୍ମଚାରୀ, ପୁଣି ବଢ଼ିଲା ଦାଖଲ ଅବଧି

ସତ୍ୟଶିଖା( ଭୁବନେଶ୍ୱର )୨୭.୧୦.୨୦୨୨: କ୍ୟାବିନେଟ୍ ନିଷ୍ପତ୍ତି , ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ନିୟମାବଳୀରେ ଆବଶ୍ୟକ ସଂଶୋଧନ ସତ୍ତ୍ୱେ ରାଜ୍ୟର ସରକାରୀ କର୍ମଚାରୀମାନେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରୁନାହାନ୍ତି। ୨୦୨୨ ମସିହା ଶେଷ ହେବାକୁ ଆଉ ମାତ୍ର ୨ମାସ ବାକି ରହିଥିଲେ ବି ୨୦୨୧ ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ ଅବଧିର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବାକୁ ସରକାରୀ କର୍ମଚାରୀମାନେ ଏପର୍ଯ୍ୟନ୍ତ ଆନ୍ତରିକତା ଦେଖାଇନାହାନ୍ତି । ଯେଉଁଥିପାଇଁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଆଜି ପୁଣିଥରେ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ବହୁ ସଂଖ୍ୟକ କର୍ମଚାରୀ ଏପର୍ଯ୍ୟନ୍ତ ସେମାନଙ୍କର ସମ୍ପତ୍ତି ବିବରଣୀ ଦାଖଲ କରିନଥିବା ଦର୍ଶାଇବା ସହ ସମ୍ପତ୍ତି ବିବରଣୀ ଦାଖଲ ତାରିଖ ଅବଧିକୁ ପୁଣିଥରେ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପ୍ରତିବର୍ଷ ଜାନୁୟାରୀ ୩୧ତାରିଖ ସୁଦ୍ଧା ସମ୍ପତ୍ତି ବିବରଣୀ ଦାଖଲ କରିବାର ପ୍ରାବଧାନ ଥିବା ସତ୍ତ୍ୱେ କର୍ମଚାରୀମାନଙ୍କ ସୁବିଧା ନିମନ୍ତେ ସରକାର କ୍ରମାଗତ ଭାବେ ୩ଥରରେ ଏହି ଅବଧିକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ସାଧାରଣ ପ୍ରଶାସନ ବିଭାଗର ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ତାଲିକାକୁ ପ୍ରତିବର୍ଷ ଜାନୁୟାରୀ ୩୧ତାରିଖ ପୂର୍ବରୁ ଅନଲାଇନ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଏଚଆରଏମଏସ୍ ପୋର୍ଟାଲରେ ଅପଲୋଡ୍ କରିବାର ନିୟମ ରହିଛି । ଏଥିପାଇଁ ରାଜ୍ୟ ସରକାର କ୍ୟାବିନେଟରେ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ(ସଂଶୋଧନ) ନିୟମାବଳୀ-୨୦୨୧କୁ ଅନୁମୋଦନ କରାଇବା ସହ ପ୍ରତ୍ୟେକ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିମନ୍ତେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲକୁ ବାଧ୍ୟତାମୂଳକ କରିଥିଲେ । କିନ୍ତୁ ପରିତାପର ବିଷୟ, ୨୦୨୧ ମସିହାର ବାର୍ଷିକ ସମ୍ପତ୍ତି ବିବରଣୀ ତାଲିକାକୁ କର୍ମଚାରୀମାନେ ୨୦୨୨ ଜାନୁୟାରୀ ୩୧ତାରିଖ ସୁଦ୍ଧା ଦାଖଲ କରିବାର ପ୍ରାବଧାନକୁ ଗୁରୁତ୍ୱ ଦେଇନଥିଲେ।
Show More
Back to top button