ସତ୍ୟଶିଖା ( ନୂଆଦିଲ୍ଲୀ ) ୦୧.୦୮.୨୦୨୦ : ଅଗଷ୍ଟ ମାସ ଆରମ୍ଭ ହୋଇ ସାରିଛି । ଏ ମାସର ପ୍ରଥମ ସୋମବାର ଅର୍ଥାତ୍ ଅଗଷ୍ଟ ୩ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡ଼ୁଛି । ମୋଦି ସରକାର ଏକ ଖାସ୍ ସ୍କିମ୍ ଅନୁସାରେ ଶସ୍ତା ସୁନା କିଣିବାର ସୁଯୋଗ ଦେଉଛି । ଆପଣ ଶସ୍ତାରେ ସୁନା କିଣି ନିଜ ଭଉଣୀଙ୍କୁ ଉପହାର ଦେଇ ପାରିବେ । ଆସନ୍ତୁ ଜାଣିବା ଏହି ସ୍କିମ୍ ବିଷୟରେ …
ଅଗଷ୍ଟ ୩ରୁ ପୁଣି ଥରେ ସରକାରଙ୍କ ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ଆରମ୍ଭ ହେବ । ଏହି ବଣ୍ଡ ସ୍କିମ୍ ଅନୁସାରେ ସୁନାର ମୂଲ୍ୟ ୫,୩୩୪ଟଙ୍କା ପ୍ରତି ଗ୍ରାମ୍ ସ୍ଥିର କରାଯାଇଛି । ଅନଲାଇନ୍ ଇନଭେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରତି ଗ୍ରାମକୁ ୫୦ଟଙ୍କା ଛାଡ଼ ମିଳିବ । ଯାହା ଦ୍ବାରା ସୁନାର ମୂଲ୍ୟ ୫,୨୮୪ଟଙ୍କା ପ୍ରତି ଗ୍ରାମ୍ ହେବ । ଯଦି ଆପଣଙ୍କୁ ୧୦ଗ୍ରାମ୍ ସୁନା କିଣିବାର ଅଛି ତେବେ ୫୨ହଜାର ୮୪୦ଟଙ୍କା ଦେବାକୁ ପଡ଼ିବ । ଯଦି ବଜାରରେ ସୁନାର ପ୍ରତି ୧୦ଗ୍ରାମ୍ ମୂଲ୍ୟ କଥା କହିବା ତେବେ ୫୪ହଜାର ଟଙ୍କାରୁ ଅଧିକ । ମୋଦି ସରକାରଙ୍କ ସ୍କିମ୍ ଅନୁସାରେ ଆପଣ ସୁନାର ବଣ୍ଡ ଭାବେ କିଣି ପାରିବେ ।
ଏହି ବଣ୍ଡକୁ ଅତି କମରେ ଏକ ଗ୍ରାମ୍ ଏବଂ ଅଧିକତର ୪କିଲୋଗ୍ରାମ୍ ଯାଏଁ କିଣାଯାଇପାରିବ । ଏଥିରେ ପ୍ୟୁରିଟି ଏବଂ ସିକ୍ୟୁରିଟିର ସମସ୍ୟା ରହେ ନାହିଁ । ଏଥିପାଇଁ ଆପଣ ଡିଜିଟାଲ୍ ଭାବେ ବ୍ୟାଙ୍କ,ନିର୍ଦ୍ଧାରିତ ପୋଷ୍ଟ ଅଫିସ୍,ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ,ଏନଏସଇ ଏବଂ ବିଏସଇରେ ଆବେଦନ କରିପାରିବେ । ରିଜର୍ଭ ବ୍ୟାଙ୍କ ଅଧୀନରେ ଆସୁଥିବା ଏହି ବଣ୍ଡର ଅବଧି ୮ବର୍ଷ । ସରକାର ଏଥିରେ ସୁନାର ଫିଜିକାଲ୍ ଡିମାଣ୍ଡକୁ କମ୍ କରିବାକୁ ଚାହିଁଥାଏ । ବର୍ତ୍ତମାନ,ଆପଣ ଅଗଷ୍ଟ ୭ତାରିଖ ଯାଏଁ ମୋଦି ସରକାର ସ୍କିମ୍ ସହ ଯୋଡ଼ି ପାରିବେ । ସେପ୍ଟେମ୍ବର ମାସରେ ପୁଣି ଥରେ ସରକାର ସ୍କିମକୁ ନେଇ ଆସିବ ।