ସତ୍ୟଶିଖା ୦୬.୦୮.୨୦୨୦ : ଦ୍ରୁତ ଗତିରେ ମହଙ୍ଗା ହେଉଛି ସୁନା ଦାମ । ୧୦ ଗ୍ରାମ ସୁନାର ଦାମ ୫୫ ହଜାର ଟଙ୍କାରୁ ଅଧିକ ହୋଇଛି । ସେହିପରି ରୂପା ଦାମରେ ମଧ୍ୟ ବୃଦ୍ଧି ଘଟି ଏକ କେଜି ରୂପାର ଦାମ ୭୨,୬୫୪ ଟଙ୍କା ହୋଇଛି । ଦିନକୁ ଦିନରେ ସୁନା ଦାମରେ ପରିବର୍ତ୍ତନ ହେଉଛି । ପ୍ରଥମେ ୫୦ ହଜାର ପରେ ୫୩ ହଜାର ଆଉ ଏବେ ୫୫ ହଜାର ପାର କରିଛି ଦର । ଆଜି ପ୍ରଥମ ଥର ପାଇଁ ୧୦ ଗ୍ରାମ ସୁନାର ଦାମ ୫୫ ହଜାର ଟଙ୍କାରୁ ଅଧିକ ହୋଇଛି । ବିଶ୍ୱ ବଜାରରେ ସୁନା ଦର ବୃଦ୍ଧି ପାଇବାରୁ ଭାରତରେ ମଧ୍ୟ ଏହି ମୂଲ୍ୟବାନ ଧାତୁ ମହଙ୍ଗା ହୋଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୧୦ ଗ୍ରାମ ସୁନାର ଦାମ ୫୫ ହଜାର ୩୯୦ ଟଙ୍କା ଭଳି ଉଚ୍ଚସ୍ତରରେ ପହଞ୍ଚିଛି । ଖୁବ ଶୀଘ୍ର ସୁନା ଦର ୬୦ ହଜାର ଟପିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେହିପରି ରୂପା ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦୁଇ ଦିନ ଭିତରେ ରୂପା ଦାମ ୮୦୦୦ ଟଙ୍କା ବଢ଼ିଛି । ଆଜି ଏକ କେଜି ରୂପାର ଦାମ ୭୨,୬୫୪ ଟଙ୍କା ହୋଇଛି । ଗତକାଲି ତୁଳନାରେ ସୁନା ଦାମ ୯୦୦ ଟଙ୍କା ଓ ରୂପା ମୂଲ୍ୟ ୪୨୦୦ ଟଙ୍କା ବଢ଼ିଛି ।
ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ୨୦୦୦ ଡଲାରରୁ ଅଧିକ ହୋଇଛି । ସେହିଭଳି ରୂପାର ଆଉନ୍ସ ପିଛା ଦାମ ମଧ୍ୟ ୨୪.୮୮ ଡଲାରରେ ପହଞ୍ଚିଛି । କୋରୋନା ସଙ୍କଟକୁ ନେଇ ସ୍ଥିତି ସ୍ପଷ୍ଟ ହେଉନଥିବାରୁ ଆମେରିକୀୟ ଡଲାର ମୂଲ୍ୟ ହ୍ରାସ ପାଇଛି । ସୁନା ଦରରେ ହେଉଥିବା ବୃଦ୍ଧିର ଏହା ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହି କଠିନ ସମୟରେ ନିଜ ସମ୍ପତ୍ତି ସୁରକ୍ଷିତ ରଖିବା ଲାଗି ଲୋକମାନେ ସୁନାରେ ନିବେଶ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ନିବେଶକମାନଙ୍କ ମନରେ ବିଶ୍ୱାସ ରହିଛି ଯେ, ସୁନାରେ ନିବେଶ ସମ୍ପୂର୍ଣ୍ଣ ସୁରକ୍ଷିତ । ଚଳିତ ବର୍ଷ ସୁନା ଦାମରେ ୩୩ ପ୍ରତିଶତ ବୃଦ୍ଧି ହୋଇସାରିଲାଣି । ସୁନାକୁ ନେଇ ଘୋଷଣା କରାଯାଇଥିବା ଇକ୍ୱିଟି ଟ୍ରେଡେଡ ଫଣ୍ଡରେ ମଧ୍ୟ ସାରା ବିଶ୍ୱରେ ନିବେଶ ବୃଦ୍ଧି ପାଉଛି ।