ଦ୍ରୁତ ଗତିରେ ବଢ଼ିଚାଲିଛି ସୁନା ଦର l


ସତ୍ୟଶିଖା : ୨୧/୦୩/୨୦୨୫: ଦିନକୁ ଦିନ ନୂଆ ରେକର୍ଡ ଯୋଡ଼ିଚାଲିଛି ଏହି ହଳଦିଆ ଧାତୁ । ମାର୍ଚ୍ଚ ୧୫ରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୩୦୦୦ ଡଲାର ପାର୍ କରିଛି । ମାର୍ଚ୍ଚ ୨୦ରେ ଭାରତରେ ଏହା ୩,୦୩୭ ଡଲାରରେ କାରବାର କରୁଛି । ସମ୍ପ୍ରତି ଭାରତୀୟ ବଜାରରେ ୧୦ ଗ୍ରାମ ପିଛା ୯୯.୯% ଶୁଦ୍ଧତାବିଶିଷ୍ଟ ସୁନା ଦର ୯୧,୦୦୦ ଟଙ୍କା ପାର୍ କରିଛି । ଏଭଳି ସ୍ଥିତିରେ ସୁନା ନିବେଶକଙ୍କ ପାଇଁ ଏବେ ସୁବର୍ଣ୍ଣ ବେଳା ।
ଚଳିତବର୍ଷ ଏହି ଧାତୁ ଲକ୍ଷେ ଛୁଇଁବା ନେଇ ଆକଳନ କରୁଛନ୍ତି ବଜାର ବିଶେଷଜ୍ଞ । ନିବେଶକଙ୍କ ପୋର୍ଟଫୋଲିଓରେ ସବୁଠାରୁ ଉତ୍ତମ ପ୍ରଦର୍ଶନକାରୀ ଆସେଟ୍ ପାଲଟିଛି ହଳଦିଆ ଧାତୁ । ଗତବର୍ଷ ସୁନା ଦେଇଥିଲା ୩୩%ରୁ ଅଧିକ ରିଟର୍ଣ୍ଣ । ଅର୍ଥାତ ଆଲୋଚ୍ୟ ଅବଧିରେ ଏହି ଧାତୁ ଦର ୩୩%ରୁ ଊଦ୍ଧ୍ୱର୍ ବଢ଼ିଥିଲା । ଇକ୍ୱିଟି ନିବେଶ ତୁଳନାରେ ସୁନାରେ ନିବେଶ ଭଲ ଲାଭ ଦେଇଛି । ଏ ବର୍ଷ ଏଯାବତ୍ ସୁନା ଦର ୧୪% ବଢ଼ିଲାଣି । ଅନ୍ୟାନ୍ୟ ଆସେଟ୍ଗୁଡ଼ିକ ତୁଳନାରେ ସୁନା ଦର ସବୁଠାରୁ ଦ୍ରୁତ ବେଗରେ ମାଡ଼ିଚାଲିଛି ।
ମାତ୍ର ୨୧୦ ଦିନରେ ଏହା ଆଉନ୍ସ ପିଛା ୨,୫୦୦ ଡଲାରରୁ ୩,୦୦୦ ଡଲାରରେ ପହଞ୍ଚିଲାଣି । ଏବେ ୩,୦୦୦ ଡଲାର ପାର୍ କରିବା ପରେ ଆଗକୁ ସୁନାର ଗତି କିପରି ରହିବ ତାହାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ାହୋଇଛି । ୨୦୨୫ରେ ୧୦ ଗ୍ରାମ ପିଛା ଏହି ଧାତୁ ଦର ଲକ୍ଷେ ଛୁଇଁବା ନେଇ ଅନୁମାନ କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରାମକ ବାଣିଜ୍ୟ ନୀତି ସମଗ୍ର ବିଶ୍ୱ ବଜାରକୁ ଅସ୍ଥିର କରିଛି । ଆମେରିକାରେ ଏକ ମାନ୍ଦାବସ୍ଥା ଆଶଙ୍କା ଦେଖାଦେଇଛି ।
ଏଭଳି ସ୍ଥିତିରେ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ମଣୁଛନ୍ତି ନିବେଶକ । ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୨୦୦ ଏବଂ ୨୨୦ ଟଙ୍କା ବୃଦ୍ଧି ପାଇଛି । ଉଭୟର ଦର ଯଥାକ୍ରମେ ୮୩,୧୦୦ ଟଙ୍କା ଏବଂ ୯୦,୬୬୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୧୦୦ ଟଙ୍କା ମହଙ୍ଗା ହୋଇ ୧,୧୪,୧୦୦ ଟଙ୍କା ହୋଇଛି ।