ସତ୍ୟଶିଖା (ନୂଆଦିଲ୍ଲୀ) ୧୦/୧୨/୨୦୨୦ : ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ ବା ଏମସିଏକ୍ସରେ ଫେବ୍ରୁଆରୀରେ ସୁନାର ଭବିଷ୍ୟତ ଦର ୦.୦୨ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ୍ ପିଛା ୪୯,୨୫୦ ଟଙ୍କାରେ ପହଁଚିଛି । ତେବେ ରୁପାର ଦାମ୍ ୦.୨ ପ୍ରତିଶତ ବୃଦ୍ଧି ପାଇ ୬୩,୬୩୫ ଛୁଇଁଛି । ବୁଧବାର ସୁନାର ଭବିଷ୍ୟତ ଦର ୧.୮ ପ୍ରତିଶତ ଅର୍ଥାତ ୯୨୦ ଟଙ୍କା ହ୍ରାସ ପାଇଥିଲା । ସେହିପରି ରୁପା ୨.୭ ପ୍ରତିଶତ ଅର୍ଥାତ ୧୮୦୦ ଟଙ୍କା ଶସ୍ତା ହୋଇଥିଲା ଅର୍ଥାତ ଦୁଇଦିନରେ ସୁନାର ଭବିଷ୍ୟତ ଦର ପ୍ରାୟ ୧୮୦୦ ଟଙ୍କା ଶସ୍ତା ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଆମେରିକା ଡଲରରେ ସ୍ଥିରତା କାରଣରୁ ସୁନାର ଭବିଷ୍ୟତ ଦର ୦.୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୮୩୫.୧୧ ଡଲାର ରହିଛି । ରୁପା ମଧ୍ୟ ୦.୩ ପ୍ରତିଶତ ଖସି ଆଉନ୍ସ ପିଛା ୨୩.୮୫ ଡଲାର ହୋଇଯାଇଛି ।
ଆମେରିକୀୟ ଡଲାରରେ ଅସ୍ଥିରତା, କରୋନା ପ୍ରକୋପ ଓ ଏହାସହ ଜଡିତ ପ୍ରତିବନ୍ଧକ, ପ୍ରମୁଖ ଅର୍ଥବ୍ୟବସ୍ଥାର ମିଶ୍ରିତ ତଥ୍ୟ ଓ ଅତିରିକ୍ତ ପ୍ରୋତ୍ସାହନ ରାଶି ପାଇଁ ସୁନା-ରୁପା ଦାମ କମ୍ ବା ବେଶୀ ରହୁଛି । ଯାହା ଆଗକୁ କିଛି ମାସ ଯାଏଁ ଜାରି ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।