ଅପରାଧନ୍ୟୁଜ୍ରାଜ୍ୟ

ଗୋଳନ୍ଥରା ଥାନା ହାଜତ ମୃତ୍ୟୁ ଘଟଣା : ୫ ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ

ସତ୍ୟଶିଖା(ବ୍ରହ୍ମପୁର) ୦୧.୧୨.୨୦୨୧: ବହୁ ଚର୍ଚ୍ଚିତ ଗୋଳନ୍ଥରା ଥାନା ହାଜତ ମୃତ୍ୟୁ ଘଟଣା ଏବେ ହତ୍ୟା ମାମଲାରେ ପରିଣତ ହୋଇଛି । ହାଇକୋର୍ଟ ନିର୍ଦ୍ଦେଶ ପରେ ଗୋଳନ୍ଥରା ଥାନାରେ ପୂର୍ବତନ ଥାନା ଅଧିକାରୀ ସମେତ ୫ ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ବ୍ଲକ ଉପାଧ୍ୟକ୍ଷ ତଥା ରଙ୍ଗିପୁର ଗ୍ରାମର ଅଜିତ୍ କୁମାର ଦାସ, ଅମିତ ଦାସ, ଗୋଳନ୍ଥରା ଥାନାର ପୂର୍ବତନ ଥାନା ଅଧିକାରୀ ବାବୁଲି ନାୟକ, ଏସ୍‌ଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ଓ କନଷ୍ଟେବଳ ଦୀପ୍ତି ପ୍ରକାଶ ଜେନାଙ୍କ ନାମରେ ମାମଲା ରୁଜୁ ହୋଇଛି । ଉକ୍ତ ମାମଲା ଗତ ୨୭ ତାରିଖରେ ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁରର ଗଣେଶ ଡାକୁଆଙ୍କୁ ଗତ ମେ’ ୩ ତାରିଖରେ କେତେ ଜଣ ବ୍ୟକ୍ତି କୌଣସି କାରଣକୁ ନେଇ ଆକ୍ରମଣ କରିଥିଲେ । ଏ ନେଇ ସେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ପୁଲିସ ଏତଲା ରଖି ନଥିଲା ।

ସେହିଦିନ ଗଣେଶଙ୍କୁ ପୁଲିସ ମେଡିକାଲ ଚିକିତ୍ସା କରିବା ବାହାନାରେ ଘରୁ ଥାନାକୁ ଡାକିଆଣି ମାଡ ମାରିଥିବା ଅଭିଯୋଗ ହୋଇଥିଲା । ରାତି ପ୍ରାୟ ୮ଟାରେ ଥାନା ଝରକାରେ ବେଲ୍ଟ ଦ୍ୱାରା ଗଣେଶ ଆତ୍ମହତ୍ୟା କରିଥିବା ନେଇ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନିଆଯାଇଥିଲା । ଶବ ବ୍ୟବଚ୍ଛେଦ ରୁମ୍ ନିକଟରେ ଗଣେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ବେକରେ କୌଣସି ଦାଗ ନଥିବା ତାଙ୍କ ମା’ ଶୋଭା ଡାକୁଆ ଦେଖିଥିବା ଦାବି କରିଥିଲେ ।

Show More
Back to top button