

ସତ୍ୟଶିଖା(ଭୁବନେଶ୍ୱର) ୧୫ .୦୫.୨୦୨୧: ରାଜ୍ୟରେ କରୋନା ଟିକା ଚାହିଦା ପୂରଣ ପାଇଁ ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ । ରାଜ୍ୟ ଔଷଧ ନିଗମର ୱେବସାଇଟ୍ରେ ଗ୍ଲୋବାଲ ଟେଣ୍ଡର୍ ସଂପର୍କିତ ସମସ୍ତ ସର୍ତ୍ତାବଳୀ ଉଲ୍ଲେଖ କରାଯାଇଛି ।
ଆସନ୍ତା ୧୯ ତାରିଖରେ ଏନେଇ ଅନଲାଇନ୍ ବୈଠକ ବସିବ । ବୈଠକରେ ଅନଲାଇନ୍ ଲିଙ୍କ୍ ଘୋଷଣା କରାଯିବ । କୋଭିଡ୍ ଟିକା ପାଇଁ ଇ-ଟେଣ୍ଡର ମେ ୨୦ ତାରିଖ ଅପରାହ୍ଣ ୩ଟାରୁ ଆରମ୍ଭ ହେବ । ଏଥିପାଇଁ https://tendersodisha.gov.in ରେ ଇଚ୍ଛୁକ ସଂସ୍ଥା ଆବେଦନ କରିବେ । ଅନଲାଇନ୍ ବିଡ୍ ପାଇଁ ଶେଷ ତାରିଖ ହେଉଛି ମେ ୨୮ ଦିନ ୧୦ଟା ।
୨୮ ତାରିଖ ଦିନ ୧୧ଟା ୩୦ରେ ଅନଲାଇନ୍ ବିଡ୍ ଖୋଲାଯିବ । ସେହିଦିନ ଅପରାହ୍ଣ ୫ଟାରେ ପ୍ରାଇସ୍ ବିଡ୍ ଖୋଲିବ । ବିଡ୍ ନେଇ ଆବଶ୍ୟକ କାଗଜପତ୍ର ଓଡ଼ିଶା ରାଜ୍ୟ ଔଷଧ ନିଗମ ୱେବସାଇଟରେ ଉପଲବ୍ଧ ରହିଛି । ବିଡର ଇମେଲ୍ ଆଇଡି ଦେଇ ବିଡ୍ ପାଇଁ ପୋର୍ଟାଲ୍ ରେଜିଷ୍ଟ୍ରେସନ୍ କରିହେବ ।
କମ୍ପାନୀ ଟିକା ପ୍ରସ୍ତୁତକାରୀ ଓ DCGI ଅନୁମୋଦିତ କଂପାନୀ ଆବେଦନ କରିପାରିବେ। ଓଡ଼ିଶା ୩ କୋଟି ୮୦ ଲକ୍ଷ ଡୋଜ୍ ଟିକା ମଗାଇବାକୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛି। ଟିକା ଯୋଗାଣକାରୀ କମ୍ପାନି ୩୦ ଦିନ ଭିତରେ ୭୫ଲକ୍ଷ ଡୋଜ୍ ଯୋଗାଇବେ । ୬୦ ଦିନ ଭିତରେ ୨କୋଟି ୨୫ଲକ୍ଷ, ୯୦ଦିନରେ ୩କୋଟି ୭୫ଲକ୍ଷ ଓ ୧୨୦ଦିନ ଭିତରେ ୩କୋଟି ୮୦ ଲକ୍ଷ ଟିକା ଯୋଗାଇବାର ସର୍ତ୍ତାବଳୀ ରଖାଯାଇଛି । ଧାର୍ଯ୍ୟ ଡୋଜ୍ର ୩୦ ପ୍ରତିଶତ ଟଙ୍କା ଆଗୁଆ ରାଜ୍ୟ ଔଷଧ ନିଗମ ପ୍ରଦାନ କରିବ ।