ସତ୍ୟଶିଖା(ଭୁବନେଶ୍ୱର )୩୦.୧୧.୨୦୨୨: ସୁସାହିତିକା ତଥା ସର୍ବପୁରାତନ ଲୋକପ୍ରିୟ ପାରିବାରିକ ସାହିତ୍ୟ ପତ୍ରିକା ‘ଅମୃତାୟନ’ର ସମ୍ପାଦିକା ଗୀତା ହୋତାଙ୍କର ଗତକାଲି ପରଲୋକ ଘଟିଛି। ତାଙ୍କର ନିଜ ମାଷ୍ଟର କ୍ୟାଣ୍ଟିନସ୍ଥିତ ବାସଭବନରେ ରାତ୍ରି ୯.୪୦ ସମୟରେ ପରଲୋକ ହୋଇଯାଇଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ଵାମୀ ଡକ୍ଟର ସାତକଡି ହୋତା, ପୁଅ, ବୋହୂ, ଝିଅ, ଜ୍ୱାଇଁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।
ସେ ପ୍ରାୟ ଗତ ୬ ମାସ ହେଲା ଅସୁସ୍ଥ ଥିବା ବେଳେ ଗତକାଲି ରାତିରେ ଅଚାନକ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବେଶି ବିଗିଡ଼ି ଯାଇଥିଲା। ପରିବାର ଲୋକ ତାଙ୍କୁ ଔଷଧ ଦେଇଥିଲେ। ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ପରଲୋକ ହୋଇଥିଲା। ସାହିତିକା ଗୀତାଙ୍କର ୩ ପୁଅ ଓ ୨ ଝିଅ ଅଛନ୍ତି।
ଆଜି ଶ୍ରୀକ୍ଷେତ୍ର ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ସେ ଦୀର୍ଘ ୪୨ ବର୍ଷ ଧରି ଲୋକପ୍ରିୟ ପାରିବାରିକ ସାହିତ୍ୟ ପତ୍ରିକା ‘ଅମୃତାୟନ’ର ସମ୍ପାଦିକା ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ।
ରାଜ୍ୟ ଓ ରାଜ୍ୟ ବାହାରେ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ତାଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ସେ କଳିଙ୍ଗ ପୁସ୍ତକ ମେଳ, ଲେଖକ ସାମୁଖ୍ୟ ଓ ରାଜଧାନୀ ପୁସ୍ତକ ମେଳା କମିଟି ସହ ଜଡ଼ିତ ଥିବା ସହ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ହୋଇଛନ୍ତି। ବିଭିନ୍ନ ସାହିତ୍ୟ ସଭା ଓ ଅନ୍ୟାନ୍ୟ ସଭାସମିତିରେ ନିଜର ବକ୍ତବ୍ୟ ଦେଇ ସାହିତିକା ଗୀତା ଲୋକଙ୍କ ମନକୁ ଛୁଇଁ ଯାଉଥିଲେ।