

ସତ୍ୟଶିଖା(ଭୁବନେଶ୍ୱର ) ୧୮.୦୮ .୨୦୨୧: ଲଘୁଚାପ ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ । ଘନୀଭୂତ ହେବା ପରେ ଏହା ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ରହିଛି । ଲଘୁଚାପ ପ୍ରଭାବରେ ଆଗାମୀ ୪୮ଘଣ୍ଟାରେ ଓଡ଼ିଶାର ଏକାଧିକ ଜିଲ୍ଲାରେ ପ୍ରବଳ ବର୍ଷା ସହ ସମସ୍ତ ଜିଲ୍ଲାରେ ସ୍ୱଲ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ବିଶେଷକରି ଉପକୂଳବର୍ତ୍ତି ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର , ବାଲେଶ୍ୱର, ମୟୂରଭ଼ଞ୍ଜ, ଢେଙ୍କାନାଳ, ନୟାଗଡ଼ ଓ କଟକରେ ଘଡ଼ଘଡି ସହ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହା ଭିତରେ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଓ ରାୟଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି ।
ସେହିପରି ଗଞ୍ଜାମ, ପୁରୀ, କଟକ, ଖୋର୍ଦ୍ଧା, କନ୍ଧମାଳ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କନ୍ଧମାଳ, ବୌଦ୍ଧ, ପୁରୀ, କଳାହାଣ୍ଡି ଏବଂ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ । ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସେପଟେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବାରୁ ଏବେ ବି ୨୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।
ହାରାହାରି ନିଅଣ୍ଟ ବର୍ଷା ପରିମାଣ ୨୯% ଥିବାବେଳେ କେବଳ ଅଗଷ୍ଟରେ ୫୦%ରୁ ଅଧିକ ନିଅଣ୍ଟ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପ୍ରକାଶ କରିଛି । ଜୁନ୍ ୧ ତାରିଖରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ରାଜ୍ୟରେ ୫୩୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୫୨, ବଲାଙ୍ଗିରରେ ୪୨ ପ୍ରତିଶତ କମ୍ ବର୍ଷା ହୋଇଛି । ସେହିପରି କେନ୍ଦୁଝର, ଝାରସୁଗୁଡାରେ ୪୧ ପ୍ରତିଶତ ଏବଂ ଅନୁଗୁଳରେ ସ୍ୱାଭାବିକଠାରୁ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।