ସତ୍ୟଶିଖା ୦୬/୦୧/୨୦୨୧ : କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇଥିବାରୁ ୮ ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ଭୁବନେଶ୍ୱରରେ ଥିବା ସ୍କୁଲ କର୍ତୃପକ୍ଷମାନେ ତତ୍ପରତା ପ୍ରକାଶ କରିଛନ୍ତି । କ୍ଲାସରୁମ୍, ଲାବ୍ରୋଟାରି, ଶୌଚାଳୟକୁ ବିଶୋଧନ କରିବା ସହ ପାନୀୟ ଜଳ ବ୍ୟବସ୍ଥା କରୁଛନ୍ତି । କର୍ମଚାରୀମାନେ କ୍ୟାମ୍ପସକୁ ଆସିବା ସମୟରେ ସେମାନଙ୍କ ଥର୍ମାଲ୍ ସ୍କ୍ରିନିଂ ଚାଲିଛି । ହ୍ୟାଣ୍ଡ୍ ସାନିଟାଇଜ୍ ଉପରେ ବି ଗୁରୁତ୍ୱ ଦିଆଯାଉଛି । ଘରୋଇ ସ୍କୁଲଗୁଡ଼ିକ ଏ ଦିଗରେ ଆଗୁଆ ପଦକ୍ଷେପ ନେଇଛନ୍ତି । ଅନୁମତି ମିଳିବା ପରେ ସ୍କୁଲ କ୍ୟାମ୍ପସ ବିଶୋଧନ ଚାଲିଥିଲା । ପ୍ରବେଶରୁ ପ୍ରସ୍ଥାନ ପଥ ପର୍ଯ୍ୟନ୍ତ ସବୁଠି ବିଶୋଧନ ହେଉଛି ।
କେବଳ ଯେ କ୍ଲାସରୁମ୍ ପ୍ରସ୍ତୁତ କରାଯାଉଛି, ତାହା ନୁହେଁ । ହଷ୍ଟେଲ ଖୋଲିବା ଦିଗରେ ବି ପଦକ୍ଷେପ ନିଆଯାଇଛି । ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ୮ ତାରିଖରୁ ହଷ୍ଟେଲ ଖୋଲିବ । ତାହାକୁ ଦୃଷ୍ଟିରେ ରଖି ହଷ୍ଟେଲରେ ରହିବାକୁ ହେଲେ ଛାତ୍ରଛାତ୍ରୀଙ୍କଠାରୁ ପିତାମାତା/ଅଭିଭାବକଙ୍କ ଲିଖିତ ସମ୍ମତି ଆଣିବାକୁ କୁହାଯାଇଛି । ହଷ୍ଟେଲ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଶାରୀରିକ ଦୂରତା ନିୟମ, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପରିଷ୍କାର ଓ ପୁଷ୍ଟିକର ଖାଦ୍ୟ ଆଦି ଉପରେ ସଚେତନ କରାଯାଉଛି । ହଷ୍ଟେଲରେ ରହିବା ପୂର୍ବରୁ ଛାତ୍ରଛାତ୍ରୀ, କର୍ମଚାରୀଙ୍କ ସ୍କ୍ରିନିଂ କରାଯିବ । ପ୍ରତିଦିନ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରିବାକୁ ସ୍ଥିର ହୋଇଛି । ଯେଉଁଠି ହଷ୍ଟେଲରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ, ସେଠାରେ ବିକଳ୍ପ ବ୍ୟବସ୍ଥା କରାଯିବ ।
ଅନ୍ୟପକ୍ଷରେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟ ସରକାର ନିଷ୍ପତ୍ତି ଅନୁଯାୟୀ ୮ ତାରିଖରୁ ଭୁବନେଶ୍ୱରରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବ । ତେବେ ଏହା ପୂର୍ବରୁ କ୍ୟାମ୍ପସକୁ ଭଲ ଭାବେ ବିଶୋଧନ କରିବା, ସାମାଜିକ ଦୂରତା ପାଳନ କରିବାକୁ କୁହାଯାଇଛି । ସମସ୍ତ ବିଦ୍ୟାଳୟ କ୍ୟାମ୍ପସକୁ ବିଶୋଧନ କରିବା ବିଏମ୍ସି ପକ୍ଷେ ସମ୍ଭବପର ନୁହେଁ । ତେଣୁ ବିଦ୍ୟାଳୟ କର୍ତୃପକ୍ଷ ନିଜ ଆଡ଼ୁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ବିଏମ୍ସି ପକ୍ଷରୁ ନିୟମିତ ବ୍ୟବଧାନରେ କ୍ୟାମ୍ପସରେ ଯାଞ୍ଚ କରାଯିବ ।