

ସତ୍ୟଶିଖା(ଭୁବନେଶ୍ୱର ) ୧୯ .୦୧.୨୦୨୨ : ରାଜ୍ୟରେ କ୍ରମାଗତ କିଛି ଦିନ ଧରି କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଉପରେ ରହିଥିଲେ ମଧ୍ୟ କୋଭିଡ୍ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଭୟଭୀତ ନହୋଇ କୋଭିଡର ସମସ୍ତ ନିୟମକୁ ପାଳନ କରିବା ପାଇଁ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବୁଷ୍ଟର ଡୋଜ୍ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି କୋଭିଡ୍ ପରିସ୍ଥିତିର ସମୀକ୍ଷା କରି କହିଛନ୍ତି ଯେ, ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି। ସାଧାରଣ ଲୋକଙ୍କ ସହଯୋଗ ମିଳିଲେ, ଜୀବନ ଜୀବିକାକୁ ପ୍ରଭାବିତ ନକରି ପରିସ୍ଥିତିକୁ ମୁକାବିଲା କରାଯାଇ ପାରିବ । ତୃତୀୟ ଲହରୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ୍ ପରିଚାଳନା ଠିକ୍ ରହିଛି । ଗତ କିଛି ଦିନ ମଧ୍ୟରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ସ୍ଥିର ରହିଛି । ଦେଶର ବଡ଼ ବଡ଼ ସହରରେ ସକ୍ରିୟ ମାମଲା ସଂଖ୍ୟା ହ୍ରାସ ପାଇବା ଆରମ୍ଭ ହୋଇଛି । ରୋଗୀଙ୍କ ଲକ୍ଷଣ ସାମାନ୍ୟ ରହୁଛି ଓ ଖୁବ କମ୍ ରୋଗୀଙ୍କୁ ହସ୍ପିଟାଲ ଯିବାକୁ ପଡ଼ୁଛି । ତଥାପି ସମସ୍ତଙ୍କୁ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ପଡ଼ିବ । କୋଭିଡ୍ ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବା ଦୃଷ୍ଟିରୁ ଲୋକ ଯେଭଳି ଭୟଭୀତ ନହେବେ ସେଥିପାଇଁ ମୁଖ୍ୟ ସଚିବ ତାଙ୍କର ପ୍ରେସ୍ ସୂଚନା ମାଧ୍ୟମରେ ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।