ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୦୧/୨୦୨୧ : ରନ୍ଧନ ଗ୍ୟାସ ବୁକିଂ କରିବା ପରେ ଏହାକୁ ପାଇବା ପାଇଁ ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଯେଉଁଦିନ ଗ୍ରାହକ ବୁକିଂ କରିବେ ସେହିଦିନ ସେମାନଙ୍କୁ ତାହା ମିଳିଯିବ । ଭାରତୀୟ ତୈଳ ନିଗମ (ଆଇଓସିଏଲ୍) ପକ୍ଷରୁ ଏଭଳି ଏକ ପରିକଳ୍ପନା କରାଯାଇଛି । କମ୍ପାନି ତତ୍କାଳ ଏଲ୍ପିଜି ସେବା ନାମରେ ଏକ ଯୋଜନା କରିଛି । ଆସନ୍ତା କିଛି ମାସ ମଧ୍ୟରେ ଏପରିକି ଫେବ୍ରୁଆରି ୧ ତାରିଖ ସୁଦ୍ଧା ଏହି ଯୋଜନା ଦେଶରେ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି । ଗୋଟିଏ ସିଲିଣ୍ଡର ଥିବା ଗ୍ରାହକଙ୍କ ପାଇଁ ଏହି ଯୋଜନା ଉପଲବ୍ଧ ହେବ । ପ୍ରତ୍ୟେକ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଅତିକମ୍ରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହର କିମ୍ବା ଜିଲ୍ଲାକୁ ଏଥିପାଇଁ ଚିହ୍ନଟ କରାଯିବ ଯେଉଁଠି ଏହି ସେବା ଆରମ୍ଭ ହେବ । ଉକ୍ତ ଯୋଜନାରେ ଗ୍ରାହକଙ୍କୁ ଗ୍ୟାସ୍ ବୁକିଂ କରାଯିବାର ୩୦ରୁ ୪୫ ମିନିଟ ମଧ୍ୟରେ ଗ୍ୟାସ ଭର୍ତ୍ତି ସିଲିଣ୍ଡର ପହଞ୍ଚାଇବା ପାଇଁ ଯୋଜନା ରଖିଛି । ଉକ୍ତ ଯୋଜନାକୁ ଏବେ କମ୍ପାନି ଚୂଡ଼ାନ୍ତ ରୂପ ଦେଉଛି । କମ୍ପାନି ଏହାର ସେବାର ମାନ ଓ କେନ୍ଦ୍ର ସରକାରଙ୍କ ‘ଇଜ୍ ଅଫ୍ ଲିଭିଂ’ ରେ ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନେବ । ଏଥିସହିତ ଅନ୍ୟ ପ୍ରତିଯୋଗୀ କମ୍ପାନିଙ୍କ ଠାରୁ ଏହି ଯୋଜନା ଆଇଓସିଏଲ୍କୁ ଆଗୁଆ କରିବ ।
ବୁକିଂର ୪୫ ମିନିଟ୍ରେ ପହଞ୍ଚିବ ଗ୍ୟାସ୍
