ଦେଶରାଜନୀତି

ତେଲ ଦରବୃଦ୍ଧିକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ; ଗୃହ ମୁଲତବୀ

ସତ୍ୟଶିଖା(ନୂଆଦିଲ୍ଲୀ) ୦୮.୦୩.୨୦୨୧:  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟସଭାରେ ଆଜି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବି ନାରାବାଜି କରିଥିଲେ । ଫଳରେ ରାଜ୍ୟସଭା ସଭାପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ପ୍ରଥମେ ରାଜ୍ୟସଭାରେ ଆରମ୍ଭ ହୋଇଥିବା ଏହି ବଜେଟ୍‌ ଅଧିବେଶନରେ ରାଜ୍ୟସଭାର ବିରୋଧୀ ଦଳର ନେତା ଭାବେ ମଲ୍ଲିକାର୍ଜୁନ ଖଡ‌ଗେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ସାଂସଦମାନଙ୍କୁ ଉଦବୋଧନ ଦେଇ କହିଲେ, ବିତର୍କରେ ଭାଗ ନେଇ ନିଜର ଜ୍ଞାନଗରିମା ସମୃଦ୍ଧ କରିବା ଲାଗି ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ମୋର ନିବେଦନ। ଖଡ‌ଗେ ହେଉଛନ୍ତି ବ୍ୟାପକ ସଂସଦୀୟ ଓ ପ୍ରଶାସନିକ ଅଭିଜ୍ଞତା ଥାଇ ଦୀର୍ଘଦିନ ଧରି ଦେଶ ସେବା କରିଆସୁଥିବା ନେତାମାନଙ୍କ ମଧ୍ୟରୁ ଜଣେ।ପରେ ଇନ୍ଧନ ଦର ବୃଦ୍ଧିକୁ ଭିତ୍ତିକରି ଗୃହରେ କଂଗ୍ରେସ ସାଂସଦମାନେ ସ୍ଲୋଗାନ ଦେଇ ହୋହାଲ୍ଲା କରିବା ସହ ଇନ୍ଧନ ଦର ଉପରେ ଆଲୋଚନା କରିବାକୁ ଅଡ଼ି ବସିଥିଲେ। କଂଗ୍ରେସ ସାଂସଦମାନଙ୍କର ଏତାଦୃଶ ଆଚରଣରେ ପ୍ରତିକ୍ରିୟାଶୀଳ ହୋଇ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିବା ସହ କହିଲେ, ପ୍ରଥମ ଦିନରେ ମୁଁ କୌଣସି କଡ଼ା ପଦକ୍ଷେପ ନେବାକୁ ଚାହୁଁନାହିଁ।ପୂର୍ବାହ୍ନ ୧୧ଟା ପରେ ପୁଣି ରାଜ୍ୟସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତାମାନେ ପେଟ୍ରୋଲ୍‌/ଡିଜେଲ୍‌ ଦର ବିଷୟରେ ବିତର୍କ ପାଇଁ ଦାବି କରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ରାଜ୍ୟସଭା ଉପାଧ୍ୟକ୍ଷ କହିଲେ, କେତେଗୁଡ଼ିଏ ବ୍ୟୟ ବିଲ୍‌ ପଡ଼ିରହିଥିବାରୁ ଇନ୍ଧନ ଦର ମୂଲ୍ୟ ପ୍ରସଙ୍ଗରେ ପରେ ଆଲୋଚନା ହେବ । କିନ୍ତୁ, କଂଗ୍ରେସ ସାଂସଦମାନେ ଏଥିରେ କର୍ଣ୍ଣପାତ ନ କରି ପୁଣି ହଟ୍ଟଗୋଳ କରିବାରୁ ରାଜ୍ୟସଭାକୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଏହାଛଡ଼ା, ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନ ହେଉଥିବା ବେଳେ ରାଜ୍ୟସଭାର ବିଜେପି ସାଂସଦ ସୋନାଲ ମାନସିଂହ କହିଲେ, ଆନ୍ତର୍ଜାତିକ ପୁରୁଷ ଦିବସ ପାଳନ କରାଯିବା ଉଚିତ ବୋଲି ମୁଁ ଦାବି ଉପସ୍ଥାପନ କରୁଛି।  ଇନ୍ଧନ ଦର ବୃଦ୍ଧି ସଂକ୍ରାନ୍ତରେ କଂଗ୍ରେସ ସାଂସଦ ମନୀଷ ତିଓ୍ଵାରୀ ଲୋକସଭାକୁ ମଧ୍ୟ ମୁଲତବୀ ପ୍ରସ୍ତାବ ନୋଟିସ୍‌ ଦେଇଛନ୍ତି।

Show More
Back to top button