

ସତ୍ୟଶିଖା(ଢେଙ୍କାନାଳ )୧୯.୧୦ .୨୦୨୧: ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା । ଚଳିତ ବର୍ଷ କରୋନା କଟକଣା ପାଇଁ ବିଶେଷ ଉତ୍ସାହ ନ ଥିଲେ ମଧ୍ୟ କେବଳ ବିଧି ରକ୍ଷା ପାଇଁ ମଣ୍ଡପରେ ହେବ ମା’ଙ୍କ ପୂଜାର୍ଚ୍ଚନା ।
ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଚଳିତ ବର୍ଷ ମଧ୍ୟ ବିଶେଷ କିଛି ସାଜସଜ୍ଜା ହୋଇନାହିଁ । ତେବେ ମଉଡ଼ମଣି ବଜାର, ଗଣେଶ ବଜାର ଓ ଗୁଡ଼ଇାନାଳି ଭଳି କିଛି ମଣ୍ଡପରେ ଚାନ୍ଦି ମେଢ଼ କରାଯାଇଛି ।
ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ବିନା ଭକ୍ତରେ ପରଦା ଆଢ଼ୁଆଳରେ ହେବ ପୂଜା । ସହରରେ ୩୮ଟି ପୂଜା ମଣ୍ଡପରେ ୧୧ ଦିନ ଧରି ପୂଜା ପାଇବେ ମା’ ଗଜଲକ୍ଷ୍ମୀ । ସେହିପରି କେନ୍ଦ୍ରାପଡ଼ାରେ ମଧ୍ୟ ଗଜଲକ୍ଷ୍ମୀ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମୂର୍ତ୍ତି ଛୋଟ ହୋଇଥିଲେ ବି କିଛି ମଣ୍ଡପରେ ମା’ଙ୍କ ଚାନ୍ଦି ମେଢ଼ କରାଯାଇଛି ।
ଚଳିତ ବର୍ଷ କେନ୍ଦ୍ରାପଡାରେ ମୋଟ ୬୮ଟି ମଣ୍ଡପରେ ପୂଜା ପାଇବେ ମା’ । କୋଭିଡ୍ କଟକଣା ପାଇଁ ଭକ୍ତଙ୍କୁ ପୂଜା ମଣ୍ଡପ ବାରଣ ଥିବାରୁ କିଛି ପୂଜା କମିଟି ପକ୍ଷରୁ ଅନ୍ଲାଇନ୍ ଦର୍ଶନର ବ୍ୟବସ୍ଥା କରାଯାଇଛି ।
ପରମ୍ପରା ଦୃଷ୍ଟିରୁ ଲକ୍ଷ୍ମୀ ପୂଜା କେବଳ ବିଧି ମୁତାବକ କରାଯାଉଛି। ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି ବୋଲି ଏକ ପୂଜା କମିଟି କର୍ମକର୍ତ୍ତା କାଳୀ ପ୍ରସନ୍ନ ସାହୁ କହିଛନ୍ତି।