
ସତ୍ୟଶିଖା (ଭୁବନେଶ୍ୱର) ୨୮/୧୧/୨୦୨୦ : ଭାଗ୍ୟ ଯେତେବେଳେ କଡ଼ ଲେଉଟାଏ ଆକାଶରୁ ଆଣି ମାଟିରେ କଚାଡ଼ି ଦିଏ । ପାଠକ ବାପ ପୁଅଙ୍କ ରଙ୍ଗୀନ ଦୁନିଆର ସଉକ ଶେଷ ହୋଇଛି । ଆଉ ସଂଗରୋଧ ୱାର୍ଡ଼ରେ ରାତିରେ ବିତାଇବାକୁ ପଡ଼ିଛି । ବିଳାସପୁର୍ଣ୍ଣ ଫ୍ଲାଟରେ ରହିବା, ପଂଚତାରକା ହୋଟେଲରେ ଖାଇବା, ଲକ ଡ଼ାଉନରେ ଆକାଶରେ ଉଡ଼ି ବୁଲିବାର ନିଶା ଏବେ ଉତୁରି ଯାଇଛି ।ଗତକାଲି ସଂଧ୍ୟା ପ୍ରାୟ ୭ଟାରେ ଧୂତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଜେଲ ହାଜତକୁ ନିଆଯାଇଥିଲା । ନିୟମ ଅନୁସାରେ ପ୍ରଥମେ ସଂଗରୋଧ ୱାର୍ଡ଼ରେ ରଖାଯାଇଛି ।
ଅଭୟକାନ୍ତଙ୍କୁ ୧୧ ନମ୍ବର ୱାର୍ଡ଼ରେ ଓ ଆକାଶଙ୍କୁ ୯ ନମ୍ବର ୱାର୍ଡ଼ରେ ରଖାଯାଇଛି । ସେମାନଙ୍କୁ ୧୪ ଦିନ ସଂଗରୋଧରେ ରଖାଯିବ । କୌଣସି ଲକ୍ଷଣ ଦେଖାନଗଲେ ସାଧାରଣ ୱାର୍ଡ଼କୁ ସ୍ଥାନାନ୍ତର କରାଯିବ । ମିଳିଥିବା ସୂଚନା ଅନୁସାରେ ଉଭୟଙ୍କୁ ରାତିରେ ଜେଲର ରୁଟି ଓ ସନ୍ତୁଳା ଦିଆଯାଇଛି । ବାପ ପୁଅଙ୍କୁ ତାହା ରୁଚି ନଥିଲେ ମଧ୍ୟ ଖାଇବାକୁ ପଡ଼ିଛି । ସେହିପରି ବିଳମ୍ବିତ ରାତି ଯାଏଁ ଦୁହେଁଙ୍କୁ ନିଦ ଆସିନଥିବା ଶୁଣିବାକୁ ମିଳିଛି । ଜେଲ ଭିତରେ କେମିତି ଦିନ କାଟିବେ ଏବେ ଚିନ୍ତା ଘାରିଛି।