
ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ଦିଲ୍ଲୀରେ ଗୋଟିଏ କାର୍ ୬ଘଣ୍ଟା ପାଇଁ ପାର୍କିଂ କଲେ ୩୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଛି । କିନ୍ତୁ ଭୁବନେଶ୍ୱରରେ ଯଦି ଜଣେ ଗୋଟିଏ କାର୍ ୬ଘଣ୍ଟା ପାର୍କିଂ କରିବ, ତେବେ ୯୬ଟଙ୍କା ଦେବାକୁ ପଡ଼ିବ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ଅଜବ ନିୟମ ଆଜିଠାରୁ କଡ଼ାକଡ଼ି ଲାଗୁ କରାଯାଇଛି ।
ବିଏମ୍ସିର ନିଲାମ ହୋଇଥିବା ପ୍ରାୟ ୧୦ଟି ପାର୍କିଂ ପ୍ୟାକେଜ୍ ଅଞ୍ଚଳରେ ଏହି ନିୟମ ଲାଗୁ ହୋଇଛି । ବିଏମ୍ସିର ନୂଆ ପାର୍କିଂ ନୀତି ଅନୁଯାୟୀ, ୪ଟି ସ୍ଲାବ୍ରେ ପାର୍କିଂ ଫି’ ଧାର୍ଯ୍ୟ ହୋଇଛି । ଶୂନ୍ରୁ ୨ଘଣ୍ଟା, ୨ରୁ ୩ଘଣ୍ଟା, ୩ରୁ ୪ଘଣ୍ଟା ଏବଂ ୪ରୁ ୫ଘଣ୍ଟା ପର୍ଯ୍ୟନ୍ତ । ୫ଘଣ୍ଟାରୁ ଅଧିକ ସମୟ ଗାଡ଼ି ପାର୍କିଂ କଲେ ଘଣ୍ଟା ପ୍ରତି ୨୦% ଅଧିକ ଫି’ ଦେବାକୁ ପଡ଼ିବ । ଅର୍ଥାତ୍ ଯେତେ ଘଣ୍ଟା ବଢ଼ିବ ସେତେ ଫି’ ବଢ଼ିବ । ଦିଲ୍ଲୀ, କୋଲକତା ଭଳି ମେଟ୍ରୋ ସହରରେ ପାର୍କିଂ ଫି’ ବହୁତ କମ୍ ଥିବାବେଳେ ଭୁବନେଶ୍ୱରରେ ଏହାର ପ୍ରାୟ ଦୁଇଗୁଣା ଅଧିକ ଆଦାୟ କରାଯାଉଛି । ଏପରିକି ମେଟ୍ରୋ ସହରଗୁଡ଼ିକରେ ଭୁବନେଶ୍ୱର ତୁଳନାରେ ଅଧିକ ଗାଡ଼ି ଯାତାୟତ କରୁଥିବାବେଳେ ଅଧିକ ଲୋକ କାର୍ ଓ ବାଇକ୍ ବ୍ୟବହାର କରୁଛନ୍ତି । ମେଟ୍ରୋ ସହରରେ ପାର୍କିଂ ଫି’ ଆଦାୟ ପାଇଁ ୬ଘଣ୍ଟିଆ ସ୍ଲାବ୍ ଥିବାବେଳେ ଭୁବନେଶ୍ୱରରେ ଘଣ୍ଟିକିଆ ସ୍ଲାବ୍ କରାଯାଇଛି । ଯାହାକୁ ନେଇ ଆଜି ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ରାଜଧାନୀବାସୀଙ୍କୁ ବ୍ୟବସ୍ଥିତ ପାର୍କିଂ ଯୋଗାଇବାରେ ବିଫଳ ହୋଇଥିବା ବିଏମ୍ସି କାହିଁକି ହଠାତ୍ ଏତେ ପାର୍କିଂ ଫି’ ଲଗାଇଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ରାଜସ୍ବ ଆଦାୟ ପାଇଁ ବହୁତ ଉପାୟ ଥିଲେ ବି ବିଏମ୍ସି କର୍ତ୍ତୃପକ୍ଷ ସାଧାରଣ ଲୋକ, ଛୋଟ ବ୍ୟବସାୟୀଙ୍କ ଉପରେ ଜୁଲମ୍ ଆରମ୍ଭ କରିଛନ୍ତି ବୋଲି କୁହାଯାଇଛି । ବିଏମ୍ସିର ନୂ୍ଆ ନିୟମ ଅନୁଯାୟୀ, ଜଣେ ପାନ ଦୋକାନୀ ବି ଯଦି ଘରୁ ଲୁନାରେ ଆସୁଥିବ ତେବେ ତା’କୁ ମାସକୁ ଅତିକମ୍ରେ ୫୦୦ ଟଙ୍କା କେବଳ ପାର୍କିଂ ଫି’ ବାବଦକୁ ହେବ । ନଚେତ୍ ଦିନକୁ ୨୦ଟଙ୍କା ହିସାବରେ ଫି’ ଦେବ । ହେଲେ ଏଥିପାଇଁ ପାର୍କିଂ ପାସ୍ କରିବାକୁ ପଡ଼ିବ । ଯଦି ପାର୍କିଂ ପାସ୍ ନ କଲା ତେବେ ଦିନକୁ ପାର୍କିଂ ଫି’ ବାବଦକୁ ୫ଘଣ୍ଟା ପରେ ଘଣ୍ଟା ପିଛା ଟଙ୍କା ଗଣିବ ।
ବିଏମ୍ସି କର୍ତ୍ତୃପକ୍ଷ ଅତି ଚତୁରତାର ସହ ପାର୍କିଂ ଫି’ ଲାଗୁ କରିଛନ୍ତି । ପୂର୍ବରୁ ଆଦାୟ ହେଉଥିବା ସର୍ବନିମ୍ନ ପାର୍କିଂ ଫି’ ନ ବଢ଼ାଇ ମାତ୍ର ୨ଘଣ୍ଟା ପାଇଁ ସର୍ବନିମ୍ନ ପାର୍କିଂ ଫି’ ଧାର୍ଯ୍ୟ କରିଦେଇଛନ୍ତି । ଏହାପରେ ଘଣ୍ଟା ପିଛା ଫି’ ଧାର୍ଯ୍ୟ କରିଛନ୍ତି । ରାଜଧାନୀବାସୀ ଆଜି ପର୍ଯ୍ୟନ୍ତ ଥରୁଟିଏ ପାର୍କିଂ ଫି’ ଦେଉଥିବାବେଳେ ଏବେ ଯଦି ଦୋକାନରୁ ବା ମଲ୍ରୁ ୨ଘଣ୍ଟା ପରେ ବାହାରିବେ ତେବେ ଘଣ୍ଟା ପିଛା ହିସାବରେ ଫି’ ଗଣି ଚାଲିବେ । ଯାହା ଗଣ୍ଡଗୋଳକୁ ପ୍ରୋତ୍ସାହନ କରିବ । ବିଏମ୍ସିର ଏହି ନୂଆ ପାର୍କିଂ ଫି’ ନିୟମକୁ ଲୋକ ବିରୋଧ କଲେଣି । ଆଗକୁ ଏହା ବିସ୍ଫୋରକ ରୂପ ନେଇପାରେ । ଏହି ନୂ୍ଆ ପାର୍କିଂ ଫି’ ବର୍ଷକ ତଳୁ ଲାଗୁ ହେଲାଣି । ବହୁ ପାର୍କିଂ ଅଞ୍ଚଳ ନିଲାମ ହୋଇନଥିବାରୁ ଲୋକଙ୍କଠାରୁ ପାର୍କିଂ ଫି’ ଆଦାୟ ହେଉନଥିଲା । ଏବେ ଏହା କଡ଼ାକଡ଼ି ଆଦାୟ ହେବ ।
ନୂଆ ପାର୍କିଂ ଫି’ନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାଧାରଣ ପରିବହନକୁ ଉତ୍ସାହିତ କରିବା ପାଇଁ ଏହି ନୂଆ ପାର୍କିଂ ଫି’ ଧାର୍ଯ୍ୟ ହୋଇଛି । ଲୋକ ଯେପରି କମ୍ ଘରୋଇ ଗାଡ଼ି ବ୍ୟବହାର କରିବେ ତାହାକୁ ନଜରରେ ରଖି ନୂଆ ପାର୍କିଂ ନୀତି ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱରରେ ପାର୍କିଂ ଅଞ୍ଚଳ ବହୁତ କମ୍ ଅଛି । ଯେଉଁଥିପାଇଁ ଅଧିକାଂଶ ରାସ୍ତା ଜାମ୍ ହେଉଛି । ବହୁ ଲୋକ ପାର୍କିଂ ଅଞ୍ଚଳରେ ଗାଡ଼ି ପାର୍କିଂ କରି ଦୀର୍ଘ ସମୟ ପଳାଉଛନ୍ତି, ଅଯଥା ପାର୍କିଂ ସ୍ଲଟ୍ ଜାମ୍ ହେଉଛି । ଅଧିକ ଫି’ ପଡ଼ିଲେ ଲୋକ ଅଯଥାରେ ଘରୁ ଗାଡ଼ି ବାହାର କରିବା ପୂର୍ବରୁ ଭାବିବେ । ମେଟ୍ରୋ ସହରରେ ପାର୍କିଂ ଫି’ କମ୍ ରହୁଛି କାରଣ ସେଠାରେ ଅଧିକ ପାର୍କିଂ ଅଞ୍ଚଳ ଅଛି ।