ଅପରାଧନ୍ୟୁଜ୍ରାଜ୍ୟ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁଣି ଦଣ୍ଡୁଆସୀପଡ଼ା ଗାଁରେ ଘନ ଘନ ବୋମା ମାଡ଼ : ଗାଁ ପୁରା ପୁରୁଷ ଶୂନ୍ୟ

ସତ୍ୟଶିଖା( ବ୍ରହ୍ମଗିରି )୨୦.୦୩.୨୦୨୨ : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆଶି ପଡ଼ା ଗାଁରେ ପୂର୍ବ ବିବାଦକୁ ନେଇ ଗତକାଲି ଘନ ଘନ ବୋମା ମାଡ଼ ସହ ୧୦ରାଉଣ୍ଡ ଗୁଳି ମାଡ଼ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ହୋଇଥିଲେ । ଆଜି ଗାଁ ପୁରା ପୁରୁଷ ଶୂନ୍ୟ ଥିବା ବେଳେ ଗାଁରେ ବ୍ରହ୍ମଗିରି ଆଇଆଇସି ଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଗତ ଫେବୃଆରୀ ମାସ ୯ତାରିଖରେ ରାଜନୈତିକ କଥାକୁ ନେଇ ଗାଁରେ ବିବାଦ ଘଟିବାରୁ ୧୦ତାରିଖରେ ଗାଁରେ ଉତ୍ତେଜନା ଘଟି ବୋମା ମାଡ଼ ସହ ଟେକା ପଥର ମାଡ଼ ହୋଇ ୬ଜଣ ଗୁରୁତର ଆହତ ହୋଇଥିଲେ ।

ସେହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ କୋର୍ଟରେ ସର୍ତ୍ତମୂଳକ ଜାମିନରେ ଫେବୃଆରୀ ୨୧ତାରିଖରେ ଆସିବା ପରେ ୨୪ତାରିଖରେ ସେହି ଘଟଣାକୁ ପୁନରାବୃତ୍ତି କରି ଅପରାହ୍ନରେ ଘନ ଘନ ବୋମା ମାଡ ଘଟିଥିଲା । ପୋଲିସ ଗାଁରେ ଚଢ଼ାଉ କରି ୨୧ଜଣଙ୍କୁ ଗିରଫ କରି ୨୫ତାରିଖରେ କୋର୍ଟ ଚାଲାଣ କରିଥିଲା ।

ଗତକାଲି ହୋଲି ଖେଳିବା ପରେ ଗାଁ ପାଖ ଗାଁକୁ ଦୁଇଜଣ ଯୁବକ ଚିକେନ ଆଣିବାକୁ ଯାଇଥିବା ବେଳେ ରାସ୍ତାରେ ତାଙ୍କୁ ଅପରପକ୍ଷ କିଛି ଯୁବକ ଅଚାନକ ଆକ୍ରମଣ କରିଥିଲେ। ସେହି ଘଟଣାକୁ ନେଇ ଗତକାଲି ଗାଁରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଘନ ଘନ୍ ବୋମା ମାଡ଼ ହେବ ସହ ୧୦ଜଣ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଜଣାପଡିଛି । ରାତିରେ ପୋଲିସ ଗାଁରେ ଚଢ଼ାଉ କରିବା ପରେ ସମସ୍ତ ଲୋକେ ଗାଁ ଛାଡ଼ି ପଳାଇଛନ୍ତି। ଗାଁ ଏବେ ପୁରୁଷ ଶୂନ୍ୟ ହୋଇଛି । ଏକ ପ୍ଲାଟୁନ ପୋଲିସ ଫୋର୍ସ ଗାଁରେ ମୁତୟନ ରହିଛନ୍ତି । ପୋଲିସ ୩ଟି ଅଫୁଟା ବୋମା ଜବତ କରିଥିବା ଜଣାପଡିଛି ।

Show More
Back to top button