ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୦୧/୨୦୨୧ : ଜିଏସ୍ଟି ଠକେଇ ରୋକିବା ଲାଗି ଗତ ଦେଢ଼ ମାସରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ଥର ଚଢ଼ଉ ହୋଇଛି । ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୧୮୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୭୦୦୦ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ।
ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୫ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଓ ଜଣେ କଂପାନି ସେକ୍ରେଟାରି ସ୍ତରର ବ୍ୟକ୍ତି ଅଛନ୍ତି । କିଛି ସଂସ୍ଥାର ପରିଚାଳନା ନିର୍ଦେଶକଙ୍କୁ ୪୦-୫୦ ଦିନ ଜେଲ୍ରେ ବିତାଇବାକୁ ପଡ଼ିଛି । ଜାଲ୍ ବିଲ୍ ଜରିଆରେ କିଛି ବଡ଼ ସଂସ୍ଥା ମଧ୍ୟ ଜିଏସ୍ଟି ଠକେଇ କରୁଥିବା ଧରାପଡ଼ିଛି । ଆୟକର ବିଭାଗ, ସୀମା ଶୁଳ୍ପ, ଆର୍ଥିକ ଗୁଇନ୍ଦା ସଂସ୍ଥା, ଜିଏସ୍ଟି ବିଭାଗ ଏବଂ ବ୍ୟାଙ୍କଗୁଡ଼ିକ ଠାରୁ ମିଳୁଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ଜିଏସ୍ଟି ଠକେଇରେ ଲିପ୍ତ ବୋଲି ସନ୍ଦେହ କରାଯାଉଥିବା ସଂସ୍ଥାଗୁଡ଼ିକର ତାଲିକା ପ୍ରସ୍ତୁତ ହେଉଛି । ସେହି ଅନୁସାରେ ଜିଏସ୍ଟି ଏନ୍ଫୋର୍ସମେଣ୍ଟ୍ ଶାଖା ତରଫରୁ ଚଢ଼ଉ କରାଯାଉଛି । ତଥ୍ୟ ଅନୁସାରେ ଚଢ଼ଉ ହେଉଥିବାରୁ ସଫଳତା ହାର ଅଧିକ ରହୁଛି । ଯେଉଁ ସଂସ୍ଥାଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେମାନଙ୍କ ପଛରେ ସଙ୍ଗେ ସଙ୍ଗେ ଆୟକର ବିଭାଗ ପଡ଼ିଯାଉଛି । କାରଣ ଏହି ସଂସ୍ଥାଗୁଡ଼ିକ କୋଟି କୋଟି ଟଙ୍କାର ଆୟକର ମଧ୍ୟ ଠକୁଛନ୍ତି । ଯେହେତୁ ବିଭିନ୍ନ ଉତ୍ସରୁ ତଥ୍ୟ ଅନୁଶୀଳନ କରାଯାଉଛି, ତେଣୁ ଜିଏସ୍ଟି ଠକେଇ କରୁଥିବା ସଂସ୍ଥା ଦୀର୍ଘଦିନ ସେହି କାର୍ଯ୍ୟ କରିପାରିବେ ନାହିଁ । ବିଳମ୍ବରେ ହେଲେ ମଧ୍ୟ ସେମାନେ ଧରାପଡ଼ିବେ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି ।