ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ମିଳିବ ସାନିଟାରୀ ନାପକିନ୍

ସତ୍ୟଶିଖା( ଭୁବନେଶ୍ୱର)୨୨.୦୮ . ୨୦୨୨:  ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳର ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ ନେଇ ଚିଠିରେ ଉଲ୍ଲେଖ ରହିଛି ।

ଖୋର୍ଦ୍ଧା, ପୁରୀ,କଟକ, କେନ୍ଦ୍ରପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ବୌଦ୍ଧ ଅଞ୍ଚଳରେ ସାନିଟାରୀ ପ୍ୟାଡ୍ ବଣ୍ଟାଯିବ । ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ମହିଳା ଓ କିଶୋରୀମାନେ ମୁଖ୍ୟତଃ ଏହି ସମସ୍ୟାର ସମ୍ମୁଖନ ହେଉଥିଲେ ବି ଲୋକଲଜ୍ଜା ଭୟରେ କାହାକୁ କିଛି କହି ପାରୁ ନ ଥିଲେ।   ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର।

ଜଳବନ୍ଦୀ ସମସ୍ୟା ଯୋଗୁ ଘରୁ ଗୋଡ଼ କାଢ଼ିପାରୁନଥିବା ମହିଳାଙ୍କ ପାଖରେ ସାନିଟାରୀ ପ୍ୟାଡ୍ ନ ଥିବାରୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ନିଜ ସମସ୍ୟା ସେମାନେ କାହା ଆଗରେ ବଖାଣି ପାରୁନଥିଲେ। ଏପରିକି ଉପାୟଶୂନ୍ୟ ହୋଇ କପଡ଼ା ବ୍ୟବହାର କରିବାକୁ ବାଧ୍ୟ ହେଉଥିଲେ । ଏଣୁ ମହିଳାଙ୍କ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ବନ୍ୟା ରିଲିଫ୍ ସାମଗ୍ରୀରେ ସାନିଟାରୀ ପ୍ୟାଡକୁ ଅନ୍ତର୍ଭୁକ୍ତ କରିବାକୁ ଦାବି ଜୋର ଧରିଥିଲା। ଏହାପରେ ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ଏହାକୁ  ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ଗ୍ରହଣ କରାଯାଇଛି।
Exit mobile version