ସତ୍ୟଶିଖା ୧୩/୦୨/୨୦୨୫ : ମାଗଣା ଯୋଜନା ଲୋକଙ୍କୁ କୋଢିଆ କରୁଛି । ଘରେ ବସି ବସି ସବୁ ସୁବିଧା ପାଇଯାଉଥିବାରୁ କାମ କରିବାକୁ ଇଚ୍ଛା କରୁନାହାନ୍ତି ଲୋକେ । ଆଉ ଏନେଇ କଡା ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ ।
ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ମାଗଣା ଘୋଷଣା କରୁଛନ୍ତି । ମାଗଣା ଯୋଜନା ପାଇଁ ଲୋକମାନେ କାମ କରିବାକୁ ଇଚ୍ଛୁକ ନୁହନ୍ତି । ଫଳରେ ଦେଶରେ ଏକ ‘ପରଜୀବୀ ଶ୍ରେଣୀ’ ସୃଷ୍ଟି ହେଉଛି ।
ସହରାଞ୍ଚଳରେ ବାସହୀନ ଲୋକଙ୍କ ଆଶ୍ରୟ ଅଧିକାର ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ବିଆର୍ ଗବାଇ ଓ ଜଷ୍ଟିସ୍ ଏଜି ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଲୋକମାନେ କାମ ନ କରି ରାସନ ଓ ଟଙ୍କା ପାଉଛନ୍ତି। ସେମାନଙ୍କୁ ଦେଶର ବିକାଶରେ ଯୋଗଦାନ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ଆମେ ଏକ ଶ୍ରେଣୀର ପରଜୀବୀ ସୃଷ୍ଟି କରୁନାହୁଁ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।
ଜଷ୍ଟିସ୍ ଗବାଇ ମହାରାଷ୍ଟ୍ରର ‘ଲଡ୍କୀ ବହିନ୍’ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି- ଯେଉଁଥିରେ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ପାରିବାରିକ ଆୟ ଥିବା ୨୧-୬୫ ବର୍ଷ ବୟସର ମହିଳାମାନେ ମାସିକ ୧୫୦୦ ଟଙ୍କା ପାଉଛନ୍ତି । ମାଗଣା ଯୋଜନା କାରଣରୁ ଲୋକମାନେ କାମ କରିବାକୁ ଇଚ୍ଛୁକ ନୁହନ୍ତି । ବିନା କାମରେ ସେମାନଙ୍କୁ ମାଗଣା ରାସନ ଓ ଟଙ୍କା ମିଳୁଛି । ଆମେ ସେମାନଙ୍କ ପ୍ରତି ଆପଣଙ୍କ ଚିନ୍ତାକୁ ପ୍ରଶଂସା କରୁଛୁ, କିନ୍ତୁ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ଦେଶର ବିକାଶରେ ଯୋଗଦାନ କରାଇବା କ’ଣ ଭଲ ହେବନାହିଁ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ସମସ୍ତ ରାଜ୍ୟରୁ ମାଗଣା ବଣ୍ଟନ ତଥ୍ୟ ସଂଗ୍ରହ କରିବା ଉଚିତ । ଯାହାଫଳରେ ଏହି ପ୍ରସଙ୍ଗକୁ ସର୍ବଭାରତୀୟ ଭିତ୍ତିରେ ବିଚାର କରାଯାଇପାରିବ । ମାଗଣା ବଣ୍ଟନ ନେଇ ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।