ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ୪ ଭାରତୀୟ

ସତ୍ୟଶିଖା(ନୂଆଦିଲ୍ଲୀ) ୦୯/୧୨/୨୦୨୦ : ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ୪ ଜଣ ଭାରତୀୟଙ୍କ ନାମ ସ୍ଥାନ ପାଇଛି । ଏହି ୪ ମହିଳା ହେଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାୟୋକନ୍‌ ପ୍ରତିଷ୍ଠାତା କିରଣ ମଜୁମଦାର ଶ, ଏଚସିଏଲ ଏଣ୍ଟରପ୍ରାଇଜ୍‌ର ସିଇଓ ରୋଶନୀ ନାଦର ମାଲହୋତ୍ରା ଏବଂ ଲ୍ୟାଣ୍ଡମାର୍କ ଗ୍ରୁପ୍‌ ଅଧ୍ୟକ୍ଷା ରେଣୁକା ଜଗ୍‌ତିୟାନୀ ।

ଫୋର୍ବସ୍‌ ପକ୍ଷରୁ ୨୦୨୦ ପାଇଁ ଜାରି ହୋଇଥିବା ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି । ସେ ଲଗାତର ୧୦ମ ଥର ପାଇଁ ସର୍ବୋଚ୍ଚ ସ୍ଥାନ ବଜାୟ ରଖିଛନ୍ତି । ୟୁରୋପୀୟନ ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ କ୍ରିଷ୍ଟିନ ଲେଗାର୍ଡ ୨ୟ ଥର ଲାଗି ଦ୍ବିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି । ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌ ୩ୟ ସ୍ଥାନରେ ଥିଲାବେଳେ ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନର ମେଲିଣ୍ଡା ଗେଟ୍‌ସ ୫ମ ସ୍ଥାନରେ ରହିଛନ୍ତି ।ଭାରତୀୟଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪୧ତମ ସ୍ଥାନରେ ରହିଛନ୍ତି । ସେହିପରି ରୋଶନୀ ନାଦର ମାଲହୋତ୍ରା ୫୫ତମ ସ୍ଥାନରେ ଥିବାବେଳେ କିରଣ ମଜୁମଦାର ୬୮ତମ ସ୍ଥାନରେ ଅଛନ୍ତି । ଲ୍ୟାଣ୍ଡମାର୍କ ଗ୍ରୁପ୍‌ର ଅଧ୍ୟକ୍ଷ ରେଣୁକା ଜଗତିୟାନୀ ୯୮ତମ ସ୍ଥାନରେ ରହିଛନ୍ତି ।ତାଲିକାରେ ୧୦ ରାଷ୍ଟ୍ରର ମୁଖ୍ୟ, ୩୮ ଜଣ ସିଇଓ ଏବଂ ୫ କଳାକାର ସାମିଲ ଅଛନ୍ତି। ତାଲିକାରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏର୍ଡର୍ନ ୩୨ ଏବଂ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌ ବେନ୍‌ ୩୭, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୩୯ ଏବଂ ବ୍ରିଟେନ ମହାରାଣୀ ଏଲିଜାବେଥ ୨ୟ ୪୬ତମ ସ୍ଥାନରେ ରହିଛନ୍ତି।

↑
Exit mobile version