ବାସ୍ତୁଶାସ୍ତ୍ରସ୍ପେଶାଲ୍ ରିପୋର୍ଟ

୪ଶହ ବର୍ଷ ପରେ ଶନି-ବୃହସ୍ପତି ମହାମିଳନ

ସତ୍ୟଶିଖା (ଭୁବନେଶ୍ୱର) ୨୨ /୧୨/୨୦୨୦ : ଦୀର୍ଘ ୪ଶହ ବର୍ଷ ପରେ ମହାକାଶରେ ଶନି-ବୃହସ୍ପତିର ମହାମଳିନ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଉଭୟ ଗ୍ରହ ମଧ୍ୟରେ ଦୂରତା ମାତ୍ର ୦.୧ ଡିଗ୍ରି ଥିବା ଭଳି ଦୃଶ୍ୟମାନ ହୋଇଥିଲା । ସନ୍ଧ୍ୟା ୬ଟାରୁ ୭ଟା ୧୫ ପର୍ଯ୍ୟନ୍ତ ଏହି ବିରଳ ଦୃଶ୍ୟ ଦେଖିବାକୁ ଉତ୍ସୁକତା ପ୍ରକାଶ ପାଇଥିଲା । ଟେଲିସ୍କୋପ୍‌ ଯୋଗେ ଅନେକ ଏହି ବିରଳ ଦୃଶ୍ୟ ଦେଖିବାର ସୁଯୋଗ ପାଇଥିଲେ । ରାଜଧାନୀରେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌‌ରେ ଏହି ଦୃଶ୍ୟ ଦେଖିବାକୁ ଅନେକେ ଭିଡ଼ ଜମାଇଥିଲେ ହେଁ ପ୍ଲାନେଟୋରିୟମ୍‌ ବନ୍ଦ ଥିବାରୁ ନିରାଶ ହୋଇ ଫେରିଥିଲେ ।ଉତ୍ତର ପଶ୍ଚିମ ଦିଗ୍‌ବଳୟର ଟିକେ ଉପରେ ଏହା ଏକତ୍ର ଯୋଡ଼ି ହେବା ଭଳି ଦେଖାଯାଇଥିଲା । ଏହି ଦୃଶ୍ୟ ଖାଲି ଆଖିରେ ତାରା ଭଳି ଦେଖାଯାଉଥିଲେ ହେଁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ମହାମିଳନର ଦୃଶ୍ୟକୁ ଉପଲବ୍ଧି କରିବା ବେଶି ସହଜ ହୋଇଥିଲା । ଉଭୟ ଗ୍ରହର ଉପଗ୍ରହ ଇଓ, ୟୁରୋପା, ଗାଲିମେଡ୍‌, କାଲିଷ୍ଟୋ ଓ ଟାଇଟନ୍‌ ମଧ୍ୟ ଦୃଶ୍ୟମାନ ହୋଇଥିଲା । ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ୧୬୨୩ ମସିହା ଜୁଲାଇ ‌୧୬ ତାରିଖରେ ଉଭୟ ବୃହସ୍ପତି ଓ ଶନି ଗ୍ରହ ମଧ୍ୟରେ ଦୂରତା ୦.୦୧ ଡିଗ୍ରି ରହିଥିଲା । ତେଣୁ ଦୀର୍ଘ ୪୦୦ ବର୍ଷ ପରେ ଏହି ଦୃଶ୍ୟ ଦେଖିବାର ସୁଯୋଗ ମିଳିଥିଲା । ଏହାର କାରଣ ସମ୍ପର୍କରେ ମତ ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି, ବୃହସ୍ପତି ସୂର୍ଯ୍ୟଙ୍କୁ ଅତିକ୍ରମ କରିବା ପାଇଁ ୧୧.୮୬ ବର୍ଷ ନେଉଥିବା ବେଳେ ଶନି ୨୯.୪ବର୍ଷ ନେଇଥାଏ ।ଯଦିଓ ଉଭୟ ବୃହସ୍ପତି ଓ ଶନି ଗ୍ରହ ପ୍ରତି ୧୯.୮ବର୍ଷରେ ପାଖାପାଖି ହୁଅନ୍ତି, ମାତ୍ର ଏତେ ନିକଟବର୍ତୀ ହେବା ୪ଶହ ବର୍ଷ ପରେ ଘଟିଛି । ୨୦୦୦ ମସିହା ମେ’ ୨୮ ତାରିଖରେ ବୃହସ୍ପତି ଓ ଶନିକୁ ଏକାଠି ଦେଖିବାକୁ ମିଳିଥିଲା । ମାତ୍ର ଦୁଇ ଗ୍ରହ ମଧ୍ୟରେ ଦୂରତା ସେତେବେଳେ ୩ ଡିଗ୍ରି ଥିଲା । ତେଣୁ ୨୦୦୦ ମସିହାର ଏ ଦୃଶ୍ୟକୁ ମିଳନ କୁହାଯାଉଥିବା ବେଳେ ଆଜି ଦୃଶ୍ୟମାନ ଘଟଣା ମହାମିଳନ ଥିଲା ବୋଲି ସେ କହିଛନ୍ତି । ଏହା ସାଧାରଣତଃ ତାରା ସଦୃଶ ଆଲୋକ ବିନ୍ଦୁ ଭଳି ଦେଖାଯାଇଥିଲା । ତେବେ ତାରାମାନଙ୍କଠାରୁ ଗ୍ରହ ଅଧିକ ଉଜ୍ଜ୍ବଳ ଓ ଚଳମାନ ହୋଇଥିବାରୁ ବାରି ହୋଇଥିଲା । ଏହାର ପୃଥିବୀ ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ଏଭଳି ଘଟଣା ପୁଣି ୪୦୦ ବର୍ଷ ପରେ ସଂଘଟିତ ହେବ ।

Show More
Back to top button