ପୂର୍ବତନ ପୋଲିସ ଡିଜି ଏସ୍‌. ଏନ୍‌. ତିୱାରୀଙ୍କ ପରଲୋକ l

ସତ୍ୟଶିଖା ୦୫.୦୮.୨୦୨୦ :  ପୂର୍ବତନ ପୁଲିସ ମହାନିର୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ପରଲୋକ । ୮୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏସଏନ ତିୱାରୀଙ୍କ ମୃତ୍ୟୁ ଖବର ତାଙ୍କ ବୋହୂ ଦୀକ୍ଷା ଗଣମାଧ୍ୟମକୁ ଜଣାଇଛନ୍ତି । ମୃତ ତିୱାରୀ ୧୯୬୩ ମସିହାରେ ଆଇପିଏସ ଅଧିକାରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । କର୍ମମୟ ଜୀବନ ଭିତରେ ରାଜ୍ୟ ପୁଲିସ ଓ କେନ୍ଦ୍ରିୟ ସୁରକ୍ଷା ସଂସ୍ଥାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ ।

ତିୱାରୀ ରାଜଖରିଆର (ବର୍ତ୍ତମାନ ଖରିଆର)ର  ମୂଳ ବାସିନ୍ଦା ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର  ପାସ୍‌ କରି ସେ ୧୯୬୩ରେ ଆଇପିଏସରେ ଯୋଗ ଦେଇଥିଲେ ।  ଏହାପ‌ରେ ସେ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। କେବଳ ଏତିକି ନୁହେଁ, ତିୱାରୀ ଓଡ଼ିଶାର ପୁଲିସ ବାହିନୀର ପ୍ରାୟ ସମସ୍ତ ବିଭାଗ ତଥା କେନ୍ଦ୍ରୀୟ ପୁଲିସ ସଂଗଠନରେ ମଧ୍ୟ ନେତୃତ୍ୱ ନେଇଛନ୍ତି । ଏସ୍‌ ଏନ୍‌ ତିୱାରୀ ଡିଆଇଜି ସେଣ୍ଟ୍ରାଲ୍‌ ରେଞ୍ଜ, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍‌ସ), ନିର୍ଦ୍ଦେଶକ (କାରାଗାର), ଡିଜି ପୁଲିସ ପଦରେ ସଫଳତା ସହ କାର୍ଯ୍ୟ କରି  କେନ୍ଦ୍ରୀୟ ଡେପୁଟେସନ୍‌ରେ ଇଣ୍ଟେଲିଜେନ୍‌ସ ବ୍ୟୁରୋର ଯୁଗ୍ମ ସଚିବ, ଭାବରେ ମଧ୍ୟ କାମ କରିଛନ୍ତି ।

ତିୱାରୀ ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ପୁଲିସ ଅଧିକାରୀ ଯିଏକି ଏସପିଜିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ନକ୍ସଲ ବିରୋଧି ଅପରେସନ୍ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଖୁବ୍‌ ପ୍ରଶଂସନୀୟ ଥିଲା । ସ୍ବର୍ଗତ ତିୱାରୀଙ୍କ ବିୟୋଗରେ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଅଭୟ ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Exit mobile version