

ସତ୍ୟଶିଖା(ଲଣ୍ଡନ )୨୭.୦୫.୨୦୨୨ : ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସ୍ତରର ବୁକର ପୁରସ୍କାର ଜିତିଛି କୌଣସି ହିନ୍ଦୀ ଉପନ୍ୟାସ। ଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ଦ୍ୱାରା ରଚିତ ରେତ୍ ସମାଧି (Tomb Of Sand)କୁ ମିଳିଛି ଏହି ବୃହତ ସମ୍ମାନ। ଏଥିସହ କୌଣସି ଭାରତୀୟ ଭାଷାରେ ସମ୍ମାନଜନକ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇବାରେ ରେତ୍ ସମାଧୀ ପ୍ରଥମ ଉପନ୍ୟାସ ହେବାର କୀର୍ତ୍ତିମାନ ସୃଷ୍ଟି କରିଛି।
ଗୀତାଞ୍ଜଳି ଏହାକୁ ହିନ୍ଦୀ ଭାଷାରେ ଲେଖିଥିବା ବେଳେ ବହିଟିକୁ ଡେଜି ରକୱେଲ ଇଂରାଜୀରେ ଅନୁବାଦ କରିଥିଲେ। ୨୦୧୮ରେ ଏହି ବହିଟି ରେତ୍ ସମାଧି ନାଁରେ ଉନ୍ମୋଚିତ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ଇଂରାଜୀରେ ଅନୁବାଦ ହୋଇଥିଲା। ଏହି ସମୟରେ ହିଁ ଏହାର ନାଁ Tomb Of Sand ରଖାଯାଇଥିଲା।
ବିଶ୍ୱର ୧୩୫ଟି ବହିକୁ ବୁକର ପୁରସ୍କାର ପାଇଁ ଚୟନ କରାଯାଇଥିଲା। ଏହା ମଧ୍ୟରେ ରେତ୍ ସମାଧି ମଧ୍ୟ ୫୦ ହଜାର ପାଉଣ୍ଡ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏହି ପୁରସ୍କାର ପ୍ରଦାନ ପାଇଁ ଗୁରୁବାର ଲଣ୍ଡନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ଗୀତାଞ୍ଜଳି ଓ ଏହାର ଇଂରାଜୀ ଅନୁବାଦକ ଉପସ୍ଥିତ ରହିଥିଲେ।