ସତ୍ୟଶିଖା (ଭୁବନେଶ୍ୱର) ୨୬/୧୧/୨୦୨୦ : ବାତ୍ୟା ନିଭାର ଅତି ଭୟଙ୍କର ରୂପ ନେଇ ତାମିଲନାଡ଼ୁ ଓ ପୁଡୁଚେରିରେ ବ୍ୟାପକ କ୍ଷୟକ୍ଷତି କରିଛି । ଏହାର ପ୍ରଭାବରେ ବୁଧବାରଠାରୁ ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା, ପବନ ଆରମ୍ଭ ହୋଇଯାଇଛି । ସେହିପରି ବିଳମ୍ବିତ ରାତିରେ ବର୍ଷା ସାଙ୍ଗକୁ ପବନ ପ୍ରକୋପ ବଢ଼ି ଚାଲିଛି । ଅନେକ ଅଞ୍ଚଳରେ ବିଜୁଳି ଖୁଣ୍ଟ, ଗଛ ଉପୁଡ଼ିଥିବାବେଳେ କଚ୍ଚା ଘର ମାଟିରେ ମିଶିଯାଇଥିବା ଜଣାପଡିଛି ।
ନିଭାର ପ୍ରକୋପରେ ଓଡ଼ିଶାରେ ବୁଧବାର ପାଗ ମେଘୁଆ ରହିଥିଲା । ତେବେ ଦିନ ଭିତରେ କୌଣସି ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ ହୋଇନାହିଁ । ଦିନର ତାପମାତ୍ରା ଅସ୍ୱାଭାବିକ ଭାବେ କମିଯାଇଛି । ପ୍ରାୟତଃ ସର୍ବୋଚ୍ଚ ତାପମାତ୍ରା ୨୫ରୁ ୨୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଛି । ଦିନବେଳା ଥଣ୍ଡା ପବନ ଯୋଗୁ ଭୀଷଣ ଶୀତ ମଧ୍ୟ ଅନୁଭୂତ ହେଉଛି ।
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ୧୩ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ଭିତରେ ଥିଲା । ଅନ୍ୟପକ୍ଷରେ ବୁଧବାର ଦିନରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ୪-୫ ଡିଗ୍ରୀ କମ୍ ଥିଲା । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍ ଥିବାବେଳେ ଦିନରେ ତାପମାତ୍ରା ୨୩ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଏଥିରୁ ଅନୁମାନ କରାଯାଇପାରେ ଦିନବେଳା କିଭଳି ଶୀତ ଅନୁଭୂତ ହେଉଛି । ବର୍ତ୍ତମାନ ଦୁଇଦିନ ରାତି ତାପମାତ୍ରା ସାମାନ୍ୟ ବଢ଼ିବ । ୨୮ରୁ ପୁଣି ରାତି ତାପମାତ୍ରା ୨-୩ ଡିଗ୍ରୀ ଖସିବ ବୋଲି ଅନୁମାନ କରାଯାଉଛି ।