

ସତ୍ୟଶିଖା(ଭୋପାଳ ) ୦୬.୦୮ .୨୦୨୧: ମଧ୍ୟପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପର୍ଯ୍ୟୟ ସୃଷ୍ଟି ହୋଇଛି । ଗତ ମଙ୍ଗଳବାର ଠାରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଗ୍ବାଲିୟର-ଚମ୍ବଲ୍ ଅଞ୍ଚଳରେ ବନ୍ୟା ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ପାଖାପାଖି ୧୨୫୦ ଗ୍ରାମ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବାବେଳେ ୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାାନାନ୍ତର କରାଯାଇଛି । ୨ ହଜାରରୁ ଅଧିକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଭାରତୀୟ ସେନା, ଏସ୍ଡିଆରଏଫ୍ ଏବଂ ବିଏସ୍ଏଫ୍, ଏନ୍ଡିଆରଏଫ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଚୌହାନ କହିଛନ୍ତି, ଗତ ୭୦ ବର୍ଷ ମଧ୍ୟରେ ଏଭଳି ବିପର୍ଯ୍ୟୟ ଦେଖିନଥିଲି । ବନ୍ୟା ଯୋଗୁଁ ଅନେକ ପୋଲ ଏବଂ ଭିତ୍ତିଭୂମି ନଷ୍ଟ ହୋଇଯାଇଛି । ବନ୍ୟା ଯୋଗୁଁ ଶିବପୁରୀ ଏବଂ ଶେଓପୁର୍ରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବନ୍ୟା ସ୍ଥିତି ନେଇ କଥା ହୋଇଛନ୍ତି ଏବଂ କେତେକ ଜରୁରୀ ସହାୟତା ଲୋଡ଼ିଛନ୍ତି । ବନ୍ୟା ମୁକାବିଲା ପାଇଁ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି । ଚୌହାନ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ଏନେଇ କଥା ହୋଇଛନ୍ତି ।