

ସତ୍ୟଶିଖା( ଭୁବନେଶ୍ୱର )୧୭ .୦୮. ୨୦୨୨: ରାଜଧାନୀରେ ପଶିଛି ବନ୍ୟାଜଳ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି ପଶିବା ଯୋଗୁ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।
ରାସ୍ତାରେ ତିନିଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। ଲୋକଙ୍କ ପାଖରେ ପିଇବା ପାଣି ସରି ଯାଇଥିବାବେଳେ ବିଦ୍ୟୁତ କାଟ ଯୋଗୁ ଲୋକେ ବିଭିନ୍ନ ଅସୁବିଧାରେ ମଧ୍ୟ ସମ୍ମୁଖୀନ ହେଉଛନ୍ତି।
ସେହିପରି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲିପାଟଣା ବ୍ଲକର ସାରଜ ରାଜସ ପଞ୍ଚାୟତର କୃଷ୍ଣପୁର, ମଠସାହି, ବରାହପୁର ଓ ନବାଟିଆ ଆଦି ଅଞ୍ଚଳ ଜଳମଗ୍ନ ହୋଇଛି। ଗାଁ ଦାଣ୍ଡରେ ୨ରୁ ୩ ଫୁଟ୍ ପାଣି ଚାଲୁଛି। ଫଳରେ ଲୋକମାନଙ୍କୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି।
ସୂଚନାଯୋଗ୍ୟ, ମହାନଦୀର ମଧ୍ୟମ ଧରଣର ବନ୍ୟା ଆସିବା ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ନଦୀ ବିପଦସଙ୍କେତ ଟପିଥିବା ବେଳେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ହୀରାକୁଦ ଡ୍ୟାମରେ ୪୦ଟି ଗେଟ୍ ଜଳ ନିଷ୍କାସନ ହେଉଛି।