ଖାଦ୍ୟଜୀବନମନ୍ତ୍ରନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ଛାଡ଼ଖାଇ ପୂର୍ବରୁ ଆମିଷ ବଜାରରେ ମହଙ୍ଗା ମାଡ଼

ସତ୍ୟଶିଖା (ଭୁବନେଶ୍ୱର) ୩୦/୧୦/୨୦୨୦ : ରବିବାରଠୁ କାର୍ତ୍ତିକ ଆରମ୍ଭ । ମାସେ ଯାଏଁ ଆଇଁଷ ଛୁଇଁ ହେବନି । ହାତରେ ଆଉ ଆଜି ଓ କାଲି । କିନ୍ତୁ ଶନିବାର ଲକ୍ଷ୍ମୀପୂଜା ପଡୁଛି । ତେଣୁ ପ୍ରାକ୍‌ଛାଡ଼ଖାଇ ପାଇଁ ଆଜି ଗୋଟିଏ ଦିନ ହିଁ ହାତରେ । ତେଣୁ ଆମିଷ ମାର୍କେଟରେ ଭିଡ଼ ହେବ। ତା’ ସାଙ୍ଗକୁ ଦର ବି ବଢ଼ିଛି ।କାର୍ତ୍ତିକ ମାସରେ ଆମିଷ ବେପାର କମିଯିବ । ତେଣୁ ପ୍ରାକଛାଡ଼ଖାଇ ମଉକାର ଫାଇଦା ଉଠାଇବାକୁ ପ୍ରସ୍ତୁତ ହେଲେଣି ଆମିଷ ବେପାରୀ । ଏବେଠୁ ଦୋକାନ ପାଇଁ ଗଣ୍ଡା ଗଣ୍ଡା ଛେଳି ସଂଗ୍ରହ କରି ରଖିଲେଣି । ଚିକେନ୍‌ କାଉଣ୍ଟରର ଲୁହା ଜାଲି ବାକ୍ସ ଭିତରେ କୁକୁଡ଼ା ଖୁନ୍ଦି ଦେଲେଣି । ଲୋକଙ୍କ ଠାରୁ ମଟନ୍‌ କିଲୋ ୭୦୦ ଟଙ୍କା ଓ ଚିକେନ୍‌ କିଲୋକୁ ୨୫୦ ଟଙ୍କା ଟାଣିବାକୁ ଯୋଜନା କରିଛନ୍ତି । ବୁଢ଼ୀ ଛେଳି ଓ ମେଣ୍ଢା ମାଂସ ବି ୬୦୦ରୁ କମିବନି । ଏବେ ଚିକେନ୍‌ କିଲୋ ପିଛା ୨୦୦ ଟଙ୍କା ଅଛି । କିଛି ଜାଗାରେ ୧୭୦ ଟଙ୍କା ବି ନେଉଛନ୍ତି । ଆଇଗିଣିଆ ଛକରେ ଥିବା ଚିକେନ କାଉଣ୍ଟର ମାଲିକ ସୟଦ ଏଜହାର ଅଲ୍ଲୀ କହିଛନ୍ତି, ଆମିଷ ବଜାରରେ ଲୋକଙ୍କ ପ୍ରଥମ ପସନ୍ଦ ରହିବ ଚିକେନ୍‌ । ଗରାଖଙ୍କ ପସନ୍ଦ ଓ ଭିଡ଼କୁ ଦେଖି ଏହି ଦର ୨୫୦ ଟପିପାରେ ।ସେପଟେ ମାଛ ବି ଅମୂଲ ମୂଲ ହେବ । ବଡ ଭାକୁର କେଜି ପିଛା ୨୫୦ ଟଙ୍କା ଟପିଯିବ । ଜିଅନ୍ତା ଲୋକାଲ ରୋହି ଭାକୁର ୨୫୦ ଲାଗିବ । କଣ୍ଟାଳ ଚିଙ୍ଗୁଡି ଦର ଅତିକମ୍‌ରେ ୬୦୦ ଟଙ୍କା ରହିବ । ବାଗଦା ଚିଙ୍ଗୁଡି ହଜାରେ ତଳକୁ ଖସିବନି । ମହରଗ ମାଛରେ ଗଣାଯାଉଥିବା ମେଘନା ଇଲିସି କେଜି ୨୦୦୦ ଟଙ୍କା ଆଉ ଭେକଟି ମାଛ ୮୦୦ ଟଙ୍କା, ଖଅଙ୍ଗା ମାଛ କେଜି ୫୦୦ ଟଙ୍କା ଟପିଯିବ । ସେପଟେ ଏବେ ପରିବା ବଜାରରେ ଆଳୁ ପିଆଜ ମାଡ଼ । ଆଳୁ କେଜି ପିଛା ୩୫ ଟଙ୍କା ଓ ପିଆଜ ୮୦ ରେ ବିକାଯାଉଛି । ଆଇଁଷ ଆଣିଲେ ବଜାରରୁ ମହଙ୍ଗା ଆଳୁ ପିଆଜ ବି କିଣିବାକୁ ପଡ଼ିବ । ତା’ ସାଙ୍ଗକୁ ତେଲ ମସଲା ପୁଣି ଅଛି । ଏଥର ପ୍ରାକଛାଡ଼ଖାଇରେ ଲୋକେ ମହଙ୍ଗା ବଜାରରେ ଘାଣ୍ଟି ହେଲେ ବି ଛାଡ଼ିବେନି ।

Show More
Back to top button